ଭୁବନେଶ୍ୱର: ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ଆସି ସୋମବାର ଓଡ଼ିଶାରେ ପହଁଚିଛି । କଟକ ଛତ୍ରବଜାର ଗୋଟିଏ ଗାଡ଼ି ଲାଗିଥିବାବେଳେ ଭୁବନେଶ୍ୱରର ସ୍ଥିତ ଆଇଗିଣିଆ ଆଳୁ ଗୋଦାମରେ ୧୦ଟି ୟୁପି ଟ୍ରକ୍ ଆସି ପହଁଚିଛି । ସେପଟେ ପଶ୍ଚିମବଙ୍ଗରୁ ମଧ୍ୟ ୪ଟି ଟ୍ରକ୍ ଆସିଥିବା ଜଣାପଡ଼ିଛି ।
ତେବେ ଆଳୁ ଆସିବା ପରେ ଖାଉଟି ବଜାରରେ ଆଳୁର ଦାମ୍ ସାମାନ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି । ବଜାରରେ ଏବେ କେଉଁଠି ୩୦ ଟଙ୍କାରେ ଆଳୁ କେଜି ବିକ୍ରି ହେଉଥିବାବେଳେ ଆଉ କେଉଁଠି ୨୦ ଟଙ୍କା ଲେଖାଏଁ ବିକ୍ରି ହେଉଛି ।
ପଶ୍ଚିମବଙ୍ଗରୁ ଆଳୁ ଅମଳ ବିଳମ୍ବ ହେବା ଆଶଙ୍କାରେ ଓଡ଼ିଶାକୁ ଆଳୁ ନ ଦେବାକୁ ସେଠାକାର ସରକାର ନିଷ୍ପତି ନେଇଥିଲେ । ଫେବୃୟାରୀ କିମ୍ବା ମାର୍ଚ୍ଚ ମାସରେ ଆଳୁ ଦେବେ ବୋଲି ଘୋଷଣା କରିଥିଲେ । ଏହା ପରେ ଓଡ଼ିଶା ମାର୍କେଟରେ ମହଙ୍ଗା ମାଡ଼ ଦେଖା ଦେଇଥିଲା ।