ପୁରୀ: ଆଜି ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ। ବଡ଼ବଡୁଆ ଡାକରେ କମ୍ପୁଛି ପୁରୀ ବଡ଼ଦାଣ୍ଡ। ଏଥିପାଇଁ ପୁରୀରେ ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକୁଛନ୍ତି ଶ୍ରଦ୍ଧାଳୁ।
ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡ଼ିଆ ଡାକିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l ସିଂହଦ୍ଵାର ନିକଟରେ ପ୍ରଶାସନ ପକ୍ଷରୁ ତିଆରି ହୋଇଥିବା ୪ଟି ସ୍ଥାନରେ କାଉଁରିଆ କାଠି ଜାଳି ବଡ଼ବଡୁଆଙ୍କୁ ବିଦାୟ ଜଣାଉଛନ୍ତି ଶ୍ରଦ୍ଧାଳୁ। ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୪ ଜଣ ଇନ୍ସପେକ୍ଟର ମୁତୟନ ଅଛନ୍ତି। ଆଜି ଏବଂ ଆସନ୍ତାକାଲି ଦୁଇଦିନ ପାଇଁ କରାଯାଇଛି ବ୍ୟବସ୍ଥା ରହିବ।
ଆଜି ଶ୍ରୀମନ୍ଦିର ଚାରିପଟେ ପୟା ଶ୍ରାଦ୍ଧ ଦେଇ ବଡ଼ବଡୁଆଙ୍କୁ ଅନ୍ଧାରରେ ଆସି ଆଲୋକରେ ବିଦାୟ ଦେଉଛନ୍ତି ଶ୍ରଦ୍ଧାଳୁ। ଦୀପାବଳି ନେଇ ଚଳିତ ବର୍ଷ ଦ୍ବନ୍ଦ୍ବ ଥିବାରୁ ୨୦ ଓ ୨୧ ତାରିଖ ଦୁଇଦିନ ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ଭୋର ୪ ଟା ରୁ ରାତି ୧୦ ଟା ଯାଏଁ ଟ୍ରାଫିକ କଟକଣା ଲାଗୁ କରାଯିବ। ଏଥିସହ ମାର୍କେଟ ଛକ ଠାରୁ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ ନୋ ଭେହିକିଲ ଜୋନ୍ କରାଯାଇଛି।