ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଏନଏସ ବିକ୍ରାନ୍ତ ଉପରେ ନୌସେନାର ଯବାନଙ୍କ ସହିତ ଦୀପାବଳି ମନାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ନୌସେନାର ଯବାନଙ୍କ ସହ ଦୀପାବଳି ପାଳନ କରିବା ମୋର ସୌଭାଗ୍ୟ । ଏହି ଦୀପାବଳି ମୋ ପାଇଁ ଖାସ୍ । ଦୀପାବଳି ପର୍ବରେ ପ୍ରତ୍ୟେକ ଲୋକ ନିଜ ପରିବାର ସହ ଦୀପାବଳି ପାଳନ କରିବାକୁ ଚାହିଁଥାନ୍ତି । ମୋତେ ବି ମୋ ପରିବାର ଲୋକଙ୍କ ଗହଣରେ ଦୀପାବଳି ପାଳନ କରିବା ଅଭ୍ୟାସ ହୋଇ ଯାଇଛି । ଏଥିପାଇଁ ମୁଁ ଦୀପାବଳିରେ ପରିବାର ଜନଙ୍କ ସହ ଦୀପାବଳି ମନାଇବାକୁ ଚାଲିଯାଏ । ଏଥର ବି ଦୀପାବଳି ମୁଁ ପରିବାର ଜନଙ୍କ ସହ ମନାଉଛି ।
ସେ କହିଛନ୍ତି, "ସମୁଦ୍ର ଜଳରେ ଝଲସୁଥିବା ସୂର୍ୟ୍ୟଙ୍କ କିରଣ ହେଉଛି ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପାବଳି ଦୀପ... ଏଗୁଡ଼ିକ ହେଉଛି ଆମର ଦିବ୍ୟ ଦୀପ ମାଳା। ମୁଁ ନୌସେନା କର୍ମଚାରୀଙ୍କ ମଧ୍ୟରେ ଦୀପାବଳି ପାଳନ କରି ନିଜକୁ ସୌଭାଗ୍ୟବାନ ମନେ କରୁଛି। ବିକ୍ରାନ୍ତ ଜାହାଜରେ ପାଳିତ ଦୀପାବଳିକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ଏଠାକାର ସୈନିକମାନେ ଯେପରି ଭାବନା ପ୍ରକାଶ କରନ୍ତି, କୌଣସି କବି ସେହି ଭାବନାକୁ ପ୍ରକାଶ କରିପାରିବେ ନାହିଁ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ତପସ୍ୟା ଓ ସମର୍ପଣର ଉଚ୍ଚତା ଏତେ ଯେ ଏହାକୁ କେବଳ ମୁଁ ଅନୁଭବ କରି ପାରିଛି । ମୋ ପାଇଁ ଦୀପାବଳି ଅନେକ ଦିଗରୁ ଖାସ । ମୋ ମନେ ଅଛି ଯେେବେ ଆଇଏନଏସ ବିକ୍ରାନ୍ତକୁ ଦେଶକୁ ସମର୍ପଣ କରାଗଲା, ମୁଁ ସେହି ସମୟରେ କହିଥିଲି ବିକ୍ରାନ୍ତ ବିଶାଳ, ବିରାଟ, ବିହଙ୍ଗମ । ବିକ୍ରାନ୍ତ କେବଳ ଏକ ଯୁଦ୍ଧପୋତ ନୁହେଁ ବରଂ ଏକବିଂଶ ଶତାବ୍ଦୀର ଭାରତର ପରିଶ୍ରମ, ପ୍ରତିଭା, ପ୍ରଭାବ ଓ ପ୍ରତିବଦ୍ଧତାର ପ୍ରମାଣ ।
ପିଏମ ମୋଦୀ କହିଛନ୍ତି, ଯାହାର ନାମ ହିଁ ଶତ୍ରୁର ସାହାସର ଅନ୍ତ କରିଦିଏ ସେ ହେଉଛି ଆଇଏନଏସ ବିକ୍ରାନ୍ତ । ମୁଁ ଏହି ଅବସରରେ ନିଜ ସେନାଙ୍କୁ ସାଲ୍ୟୁଟ୍ କରିବାକୁ ଚାହୁଁଛି । ତିନି ସେନାର ଅପୂର୍ବ ସମନ୍ୱୟ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ବହୁତ ଶୀଘ୍ର ମୁଣ୍ଡ ନୁଆଁଇବାକୁ ବିବାଶ କରି ଦେଲା । ମୁଁ ପୁଣି ଥରେ ଆଇଏନଏସ ବିକ୍ରାନ୍ତର ସାଧନା ଓ ପରାକ୍ରମର ସ୍ଥଳିରୁ ତିନି ସେନାକୁ ସାଲ୍ୟୁଟ୍ କରୁଛି ।
Also read: ଚେତାବନୀ ଦେଇ ଭାରତକୁ ଟ୍ରମ୍ପ କହିଲେ...ଭାରୀ ଶୁଳ୍କ ଦେବାକୁ ପ୍ରସ୍ତୁତ ରୁହ