ନୂଆଦିଲ୍ଲୀ: ଭାରତ ସ୍ୱଚ୍ଛ ଶକ୍ତି ଉତ୍ପାଦନ ପାଇଁ ନିରନ୍ତର ପ୍ରୟାସ କରୁଛି। ଏଥିପାଇଁ ଦେଶ ୨୦୦ ମେଗାୱାଟ ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ ଛୋଟ ପରମାଣୁ ଶକ୍ତି ରିଆକ୍ଟର ବିକଶିତ କରୁଛି। ଏହି ରିଆକ୍ଟରଗୁଡ଼ିକୁ ବାଣିଜ୍ୟିକ ଜାହାଜ ସମେତ ଯେକୌଣସି ସ୍ଥାନରେ ସ୍ଥାପନ କରାଯାଇପାରିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପରମାଣୁ ବିଭାଜନ ଦ୍ୱାରା ଉତ୍ପାଦିତ ତାପରୁ ପରମାଣୁ ଶକ୍ତି ଉତ୍ପନ୍ନ ହୁଏ, ଯାହା ବିଦ୍ୟୁତ ଉତ୍ପାଦନ କରେ। ଏହି ରିଆକ୍ଟରକୁ ଯେକୌଣସି ସ୍ଥାନରେ, ଏକ ଜାହାଜରେ ମଧ୍ୟ ସ୍ଥାପନ କରିପାରିବେ।
ସେ କହିଛନ୍ତି ଯେ ଭାବା ପରମାଣୁ ଗବେଷଣା କେନ୍ଦ୍ର (ବିଏଆରସି)ର ବୈଜ୍ଞାନିକମାନେ ୫୫ ମେଗାୱାଟ ଏବଂ ୨୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଦୁଇଟି ପରମାଣୁ ଶକ୍ତି ରିଆକ୍ଟର ବିକଶିତ କରୁଛନ୍ତି, ଯାହାକୁ ସିମେଣ୍ଟ ଉତ୍ପାଦନ ଭଳି ଉଚ୍ଚ ଶକ୍ତି ଆବଶ୍ୟକତା ଥିବା କମ୍ପାନୀଗୁଡ଼ିକର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟରେ ମଧ୍ୟ ସ୍ଥାପନ କରାଯାଇପାରିବ।
ପରମାଣୁ ବୁଡ଼ାଜାହାଜରେ ସେମାନଙ୍କର ବ୍ୟବହାର ବିଷୟରେ ପ୍ରଶ୍ନକୁ ଏଡାଇ ଅଧିକାରୀ କହିଛନ୍ତି, ଏହି ପରମାଣୁ ରିଆକ୍ଟରଗୁଡ଼ିକ ବହୁତ ସୁରକ୍ଷିତ ଏବଂ ବାଣିଜ୍ୟିକ ନୌସେନା ଜାହାଜରେ ମଧ୍ୟ ବ୍ୟବହାର କରାଯାଇପାରିବ। ସେ ଆହୁରି କହିଛନ୍ତି ଯେ ଏହି ଭାରତ କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ଦେଶର ପରମାଣୁ ଶକ୍ତିର ଅଂଶ ବୃଦ୍ଧି କରିବାର ମୁଖ୍ୟ ଆଧାର ହେବ।
ଉଲ୍ଲେଖନୀୟ ଯେ ଭାରତରେ ବର୍ତ୍ତମାନ ଦୁଇଟି ସ୍ୱଦେଶୀ ନିର୍ମିତ ପରମାଣୁ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିହନ୍ତ ଏବଂ ଆଇଏନ୍ଏସ୍ ଅରିଘାଟ ଅଛି, ଯାହା ୮୩-ମେଗାୱାଟ୍ ରିଆକ୍ଟର ଦ୍ୱାରା ଚାଳିତ। ତୃତୀୟ ପରମାଣୁ ବୁଡ଼ାଜାହାଜ ଆଇଏସ୍ଏସ ଅରିଧମାନ, ପରୀକ୍ଷଣ ଚାଲିଛି।
ସରକାର ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଏହା ଘରୋଇ କମ୍ପାନୀଗୁଡ଼ିକୁ ବେସାମରିକ ପରମାଣୁ କ୍ଷେତ୍ରରେ ପ୍ରବେଶ କରିବାକୁ ଅନୁମତି ଦେବା ପାଇଁ ପରମାଣୁ ଶକ୍ତି ଆଇନ, 1962 ସଂଶୋଧନ କରିବ। ଯୋଜନା ଅନୁଯାୟୀ ସରକାର ଘରୋଇ କମ୍ପାନୀଗୁଡ଼ିକୁ ପରମାଣୁ ଶକ୍ତି କେନ୍ଦ୍ର ପରିଚାଳନା କରିବାକୁ ଏବଂ ପରମାଣୁ ଇନ୍ଧନ ଚକ୍ରର ପ୍ରାରମ୍ଭିକ ପର୍ଯ୍ୟାୟ ପରିଚାଳନା କରିବାକୁ ଅନୁମତି ଦେଇପାରେ।
ଆଲୋଚନା କରାଯାଉଥିବା ସଂଶୋଧନ ଅନୁଯାୟୀ ସରକାର ଘରୋଇ କମ୍ପାନୀଗୁଡ଼ିକୁ ପରମାଣୁ ଶକ୍ତି କେନ୍ଦ୍ର ପାଇଁ ବିଦେଶରୁ ଇନ୍ଧନ କ୍ରୟ କରିବାକୁ ମଧ୍ୟ ଅନୁମତି ଦେଇପାରନ୍ତି, ଯେଉଁଥିରେ ବ୍ୟବହୃତ ଇନ୍ଧନକୁ ମୂଳ ଦେଶକୁ ଫେରାଇ ଆଣିବାର ବ୍ୟବସ୍ଥା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ସୁଦ୍ଧା ପରମାଣୁ ଶକ୍ତି କ୍ଷମତାକୁ ବର୍ତ୍ତମାନର ୮.୮ ଗିଗାୱାଟ୍ରୁ ୧୦୦ ଗିଗାୱାଟ୍ କୁ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛନ୍ତି।
Also read: ଯଦି ପୁଟିନ ଚାହିଁବେ ୟୁକ୍ରେନକୁ ଧ୍ୱଂସ କରିଦେବେ: ଟ୍ରମ୍ପ