ଭଦ୍ରକ: ଆଜି କାର୍ତ୍ତିକ ସୋମବାର ସହ ଦୀପାବଳି ଅମାବାସ୍ୟା ହୋଇଥିବାରୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଜମିଛି ଭକ୍ତଙ୍କ ଗହଳି। ଭଦ୍ରକର ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ବି ଭିଡ଼ ଦେଖିବାକୁ ମିଳିଛି। ଦୀପାବଳି ପାଇଁ ଆଜି ଆରଡ଼ି ଆଖଣ୍ଡଳମଣି ମନ୍ଦିରରରେ ଉଠିବ ମହାଦୀପ। କାର୍ତ୍ତିକ ମାସ ହୋଇଥିବାରୁ ପୀଠରେ ନାମ ସଂକୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଭକ୍ତମାନେ ବାବାଙ୍କ ଦର୍ଶନ କରିବା ସହ ନିଜ ନିଜର ମାନସିକ ଭୋଗ ଲାଗି କରୁଛନ୍ତି। କାର୍ତ୍ତିକ ମାସ ତମାମ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ମାସ ତମାମ ପଞ୍ଚାନନ ବେଶରେ ବାବାମଣି ଭକ୍ତଙ୍କୁ ଦର୍ଶନ ଦେବେ।
ଆଜି ଦୀପାବଳି ଅମାବାସ୍ୟା ହୋଇଥିବାରୁ ପୁରାତନ ପରମ୍ପରା ଅନୁସାରେ ଆଜି ରାତ୍ର ନଅ ଘଟିକାରେ ମନ୍ଦିର ଚୂଡ଼ାକୁ ଉଠିବ ମହାଦୀପ। ବର୍ଷର ଦୁଇ ଥର ଏହି ମହାଦୀପ ଉଠିଥାଏ ଆରଡ଼ି ଆଖଣ୍ଡଳମଣି ପୀଠରେ। ସେଥିପାଇଁ ଭୋର ୪ ଟାରେ ମନ୍ଦିରର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତି, ଘର୍ଷଣଲାଗି, ମହାସ୍ନାନ ସରିବା ପରେ ନୂତନବସ୍ତ୍ର, ଚନ୍ଦନ, ବେଲପତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା ମଣିବାବାଙ୍କୁ। ବାବାଙ୍କୁ ଦର୍ଶନ କରିବାକୁ ଧୀରେ ଧୀରେ ଭକ୍ତଙ୍କୁ ଗହଳି ଦେଖିବାକୁ ମିଳିଛି।