ଭୁବନେଶ୍ଵର: ଆଜି ଆଲୋକର ପର୍ବ ଦୀପାବଳି। ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି। କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଏ। ଏଥିପାଇଁ ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍। ଆଜି ଶ୍ରୀମନ୍ଦିର ନିକଟରେ ଶ୍ରଦ୍ଧାଳୁ ମାନେ ପ୍ରୟା ଶ୍ରାଦ୍ଧ ପାଳନ କରି ସହ ବଡୁ ବଡୁଆ ଡାକିବେ। ଏଥିପାଇଁ ମଧ୍ୟ ଅନେକ ଲୋକ ସହରରୁ ଗାଁକୁ ଯାଇଥାନ୍ତି ସମସ୍ତଙ୍କ ସହ ମିଳିମିଶି ଏହି ଆନନ୍ଦର ଓ ଉଲ୍ଲାସର ପର୍ବକୁ ପାଳନ କରିବା ପାଇଁ।
ଦୀପାବଳିର କିଛି ଦିନ ପୂର୍ବରୁ ହିଁ ପ୍ରତ୍ୟକ ଘରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ଆଜିର ଦିନରେ ଦୀପ ଜାଳିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠେ ପ୍ରତ୍ୟକ ଘର। ଦୀପାବଳି ଦିନ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ। ଏହାସହିତ ସମସ୍ତେ ମିଳିମିଶି ରାତିରେ ଦୀପ ଜାଳିବା ସହିତ ବାଣ ଫୁଟାଇଥାନ୍ତି।
ଦୀପାବଳି ସହିତ ଜଡିତ ଏକ ସାଧାରଣ ବିଶ୍ବାସ ହେଉଛି ଯେ ଏହି ଦିନ ଭଗବାନ ଶ୍ରୀରାମ ଲଙ୍କା ବିଜୟ ପରେ ଅଯୋଧ୍ୟା ଫେରିଥିଲେ। ଶ୍ରୀରାମଙ୍କ ଆସିବା ଖୁସିରେ ଅଯୋଧ୍ୟାବାସୀ ଦୀପ ଜାଳି ଉତ୍ସବ ପାଳନ କରିଥିଲେ । କିନ୍ତୁ ଦକ୍ଷିଣ ଭାରତରେ ଦିନକ ପୂର୍ବରୁ ଅର୍ଥାତ ଚତୁର୍ଦ୍ଦଶୀ ଦିନଟିକୁ ଦୀପାବଳି ଭାବେ ପାଳନ କରାଯାଏ। ପୁରାଣ ଅନୁସାରେ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ପ୍ରବଳ ପ୍ରତାପୀ ନରକାସୁରକୁ ବଧ କରି ଧରିତ୍ରୀକୁ ତା ଅତ୍ୟାଚାରରୁ ମୁକ୍ତ କରିଥିଲେ । ଏହାକୁ ସେଥପାଇଁ ନରକ ଚତୁର୍ଦ୍ଦଶୀଭାବେ ପାଳନ କରାଯାଏ। ନରକ ଚତୁର୍ଦ୍ଦଶୀରେ ଯମରାଜା ଓ ଚିତ୍ରଗୁପ୍ତଙ୍କୁ ମଧ୍ୟ ପୂଜା କରାଯାଏ ।
ଓଡ଼ିଶାରେ ଦୀପାବଳି ଦିନ ପିତୃଲୋକଙ୍କୁ ଶ୍ରାଦ୍ଧ ଦେବା ସହ ସଂଧ୍ୟାରେ ବଡବଡୁଆ ଡାକିବାର ପରମ୍ପରା ରହିଛି। ସେହିପରି ଉତ୍କଳ,ପଶ୍ଚିମ ବଙ୍ଗରେ ଦୀପାବଳିରେ କାଳିପୂଜା କରାଯାଏ। ସେହିପରି ଦୀପାବଳିରେ ଉତ୍ତରଭାରତ ଓ ପଶ୍ଚିମଭାରତରେ ମହାଲକ୍ଷ୍ମୀ ଓ ଗଶେଶଙ୍କ ପୂଜା କରାଯାଏ। ଦୀପାବଳି ଦିନ ହିଁ ବିକ୍ରମ ସମ୍ବତର ପ୍ରଥମ ଦିନ।