ନବରଙ୍ଗପୁର: ହଷ୍ଟେଲରେ ମଦ ପାଉଚ୍ ମିଳିବା ପରେ ୯ ଛାତ୍ରଙ୍କୁ ବହିଷ୍କୃତ କରାଯାଇଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ପିଏମଶ୍ରୀ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୭ ଦିନ ପାଇଁ ସ୍କୁଲ୍ରୁ ବହିଷ୍କାର କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ବହିଷ୍କୃତ ୯ ଛାତ୍ରଙ୍କ ମଧ୍ୟରେ ୪ ଜଣ ନବମ ଶ୍ରେଣୀର ଓ ୫ଜଣ ଓ ଦଶମ ଶ୍ରେଣୀର ରହିଛନ୍ତି।
ସୂଚନା ମୁତାବିକ ୩ ନଂ ହଷ୍ଟେଲରୁ ମଦ ପାଉଚ ମିଳିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପ୍ରଧାନଶିକ୍ଷକ। ହଷ୍ଟେଲ ରୁମରେ ମଦ ପାଉଚ ପଡ଼ିବା ସହ ସିଗାରେଟ ଗନ୍ଧ ହେଉଥିବା ପ୍ରଧାନଶିକ୍ଷକ ଜାଣିବାକୁ ପାଇଥିଲେ। ପରେ ଏନେଇ ପ୍ରଧାନଶିକ୍ଷକ ଅଭିଭାବକଙ୍କୁ ବିଦ୍ୟାଳୟକୁ ଡକାଇ ତଦନ୍ତ କରିଥିଲେ । କିନ୍ତୁ ଛାତ୍ରମାନେ ମଦ୍ୟପାନ କରିଥିବା କିମ୍ବା ମଦ ରଖିଥିବା ନେଇ କିଛି ଜାଣିନଥିବା କହିଥିଲେ। ସାଦା କାଗଜରେ ଦସ୍ତଖତ ନେଇ୯ ଜଣ ଛାତ୍ରଙ୍କୁ ୭ଦିନ ପାଇଁ ବହିଷ୍କାର କରିଛନ୍ତି । ଯାହାକୁ ନେଇ ଅଭିଭାବକ ଓ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।