ପୁରୀ: ଆଜି ହେଉଛି ହେରା ପଞ୍ଚମୀ । ବିରହୀ ମହାଲକ୍ଷ୍ମୀ କରିଛନ୍ତି ଅଭିମାନ । ହେରା ପଞ୍ଚମୀ ମହାପ୍ରଭୁଙ୍କ ଉପରେ ସମସ୍ତ ରାଗ ସୁଝାଇବେ ଅଭିମାନୀ ମା ଲକ୍ଷ୍ମୀ, ଭାଙ୍ଗିବ ନନ୍ଦିଘୋଷ ରଥ ।
ଆଜି ରଥଯାତ୍ରା ପର୍ବର ଅତି ବିଶେଷ ଦିନ ହେରା ପଞ୍ଚମୀ । ଏହା ରଥଯାତ୍ରା ସମୟରେ ଆଷାଢ଼ ପଞ୍ଚମୀ ତିଥିରେ ପାଳିତ ହୁଏ । ବିବାହ ପରଦିନ ପ୍ରଥମେ ମହାପ୍ରଭୁ ଜଗନ୍ନାଥ ୧୦୮ ସୁବର୍ଣ୍ଣ କଳସୀ ପାଣିରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇ 15 ଦିନ ଅଣସରରେ ରହିଲେ । ପୁଣି ସ୍ତ୍ରୀକୁ ସାଥିରେ ନ ଧରି ଭାଇ ଭଉଣୀଙ୍କ ସାଙ୍ଗରେ ମାଉସୀ ଘରକୁ ବୁଲିବାକୁ ଚାଲିଗଲେ । ସେଥିପାଇଁ ସ୍ୱାମୀ ଜଗନ୍ନାଥଙ୍କ ଉପରେ ଅଭିମାନ କରିଛନ୍ତି ମହାଲକ୍ଷ୍ମୀ । ଯେଉଁଥିପାଇଁ ଜଗାର ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ ।
ରାତ୍ର ସମୟରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରନ୍ତି। ଏହା ପରେ ମହାଲକ୍ଷ୍ମୀଙ୍କୁ ସୁସଜ୍ଜିତ କରି ବେଶ ବଢ଼ିବା ପରେ ପୂଜାପଣ୍ଡା ସେବକଙ୍କଦ୍ୱାରା ପନ୍ତି ଭୋଗ ହୋଇଥାଏ। ପରେ ବିମାନକୁ ଲକ୍ଷ୍ମୀ ବିଜେ କରିଥାନ୍ତି। ବିମାନବଡ଼ୁ ସେବକମାନେ ଲକ୍ଷ୍ମୀଙ୍କ ବିମାନ ନେଇ ଘଣ୍ଟ କାହାଳୀ ବଜାଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଁଚନ୍ତି । ସେଠାରେ ପତିମହାପାତ୍ର ସେବାୟତମାନେ ପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ,ଘସା ବିଡିଆ ଓ ହଦି ପଟି ମଣୋହି କରନ୍ତି। ଏ ସମୟ ମଧ୍ୟରେ ଗୁଣ୍ଡିଚା ଘରେ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ସରି ଶାଢ଼ୀ଼ ଲାଗି ହୋଇ ଆଳତି ବଢ଼ିଥାଏ। ଆଳତି ପରେ ଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରେ ପଞ୍ଚାମୃତ ମହାସ୍ନାନ ଓ ତିନି ବାଡ଼ରେ ସର୍ବାଙ୍ଗ ହୋଇ ବେଶ ବଢେ । ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ପାଖକୁ ଯାଆନ୍ତି । ସେଠାରେ ମହାଲକ୍ଷ୍ମୀ ରଥ ଭାଙ୍ଗିବା ପରେ ଶ୍ରୀମନ୍ଦିରକୁ ଫେରି ଆସନ୍ତି ।
ସ୍ୱାମୀ ସ୍ତ୍ରୀଙ୍କର ଏହି କଳିକୁ ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତକାଲି ବନକଲାଗି ପାଇଁ କିଛି ଶ୍ରଦ୍ଧାଳୁ ଦର୍ଶନ ନ କରି ନିରାଶ ହୋଇଥିବାବେଳେ ଆଜି ସକାଳୁ ପୁନର୍ବାର ଦର୍ଶନ ଆରମ୍ଭ ହୋଇଛି ।