ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ତଳକୁ ଖସିଛି । ଜଳକା, ସୁବର୍ଣ୍ଣରେଖା, ବୈତରଣୀ ଏବଂ ବୁଢ଼ାବଳଙ୍ଗ ଆଦି ନଦୀଗୁଡ଼ିକରେ ବିପଦ ସଙ୍କେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ରାଜ୍ୟରେ ଏବେ ବନ୍ୟା ସ୍ଥିତି ଟଳିଛି । ଭଦ୍ରକ ଏବଂ ଯାଜପୁରରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।
ସେ କହିଛନ୍ତି, ସୁବର୍ଣ୍ଣରେଖାର ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଜଳସ୍ତର ଏବେ ୯.୮୦ ମିଟରକୁ ହ୍ରାସ ପାଇଛି । ଅପରାହ୍ନ ସୁଦ୍ଧା ଏହା ବିପଦ ସଂକେତ ତଳକୁ ଯିବ । କିନ୍ତୁ ପାଣି ନିଷ୍କାସନ ହେବାକୁ ସମୟ ଲାଗିବ । ଅନ୍ୟପକ୍ଷରେ ଜଳକା ନଦୀର ଜଳ ସ୍ତର ବିପଦ ସଂକେତ ପାଖାପାଖି ପ୍ରବାହିତ ହେଉଛି । ସେହିପରି ବୈତରଣୀର ଜଳ ସ୍ତର ମଧ୍ୟ ବିପଦ ସଂଙ୍କେତ ତଳେ ରହିଛି । ଆଖୁଆପଦା ଠାରେ ବୈତରଣୀର ଜଳ ସ୍ତର ବିପଦ ସଙ୍କେତ ୧୮.୩୩ ମିଟର୍ ରହିଥିବାବେଳେ ୧୭.୭୮ ମିଟର୍ ରହିଛି । ଭଦ୍ରକ ଓ ଯାଜପୁରରେ ଆଉ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ।
ସେହିପରି ତଳିଆ ଅଞ୍ଚଳରୁ ବନ୍ୟା ଜଳ ଧୀରେ ଧୀରେ ନିଷ୍କାସିତ ହେବ । ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ ଘାଇ ହୋଇନଥିବାବେଳେ କେବଳ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଲେଦାର ଜମ୍ଭିରା ଠାରେ ଏକ ଘାଇ ସୃଷ୍ଟି ହୋଇଥିଲା । ତାହାକୁ ମରାମତି କରାଯିବାକୁ ଉଦ୍ୟମ କରାଯାଉଛି ।
ଅନ୍ୟପକ୍ଷରେ ହୀରାକୁଦରେ ୨୦ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଘଣ୍ଟାକୁ ୩.୧୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ ହେଉଥିବାବେଳେ ୩.୪୫ ଲକ୍ଷ ସେନସସ୍ ନିଷ୍କାସିତ ହେଉଛି । ହୀରାକୁଦର ବିପଦ ସଂଙ୍କେତ ୬୩୦ ଫୁଟ୍ ଥିବାବେଳେ ୬୧୫ ଫୁଟ୍ ଉଚ୍ଚତା ଯାଏ ଜଳ ପ୍ରବାହିତ ହେଉଛି । ସେହିପରି ମୁଣ୍ଡଳୀରେ ୫ ଲକ୍ଷ ୧୮ ହଜାର କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି । ଯାହା ବନ୍ୟା ନୁହେଁ । ବ୍ରାହ୍ମଣୀ ରେଙ୍ଗାଳିର ୩ ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଯାହା ଧିରେ ଧିରେ ହ୍ରାସ ପାଇ ବ୍ରାହ୍ମଣୀ ଜେନାପୁରରେ ବିପଦ ସଂକେତ ତଳେ ଅଛି । ବୁଢ଼ାବଳଙ୍ଗକୁ ବି ବିପଦ ନାହିଁ ।
ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ ଚାରୋଟି ବ୍ଲକ ଯେପରି ଜଳେଶ୍ୱର, ଭୋଗରାଇ, ବସ୍ତା ବାଲିଆପାଳ ପ୍ରଭାବିତ ହୋଇଛି । ଜଣେ ସର୍ବୋଚ୍ଚ ଯନ୍ତ୍ରୀ ବାଲେଶ୍ୱରରେ ରହି ବନ୍ୟା ସ୍ଥିତି ନିରୀକ୍ଷଣ କରୁଛନ୍ତି । ଭଦ୍ରକର ଧାମନଗର, ତିହିଡି ଓ ଯାଜପୁରର ଦଶରଥପୁରରେ ପାଣି ପଶିଥିଲା । ଆଖୁଆପଦା ଠାରେ ବିପଦ ସଂକେତ ତଳକୁ ଆସିବା ପରେ, ଧୀରେ ଧୀରେ ସ୍ଥିତି ସାମାନ୍ୟ ହେଉଛି ।