ଭବାନୀପାଟଣା: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆରମ୍ଭ ହୋଇଛି। ଜେନାଖାଲରେ ଗୁପ୍ତ ରୀତିନୀତିରେ ମାଣିକେଶ୍ୱରୀଙ୍କ ପୂଜାର୍ଚ୍ଚନା ସଂପନ୍ନ କରାଯାଇ ଭୋର୍ ସମୟରେ ମା'ଙ୍କ ଛତର ଯାତ୍ରା ଆରମ୍ଭ ହୋଇଥିଲା । ଏହା ପରେ ମାନସିକଧାରୀ ଶହ ଶହ ପଶୁପକ୍ଷୀଙ୍କ ବଳି ପକାଇଥିଲେ । ରକ୍ତରଞ୍ଜିତ ହୋଇଥିଲା ମା'ଙ୍କ ପୀଠ । ରାସ୍ତାରେ ମା'ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।
ମା' ମାଣିକେଶ୍ଵରୀ ମହାଷ୍ଟମୀ ମଧ୍ୟରାତ୍ରୀରେ ଗର୍ଭଗୃହରୁ ବାହାରି ଛତର ରୂପେ ଜେନାଖାଲ ଅଭିମୁଖେ ବାହାରିଥିଲେ । ଗୁପ୍ତ ପୂଜା ସାରି ଫେରିଲା ବାଟରେ ଭୋର୍ ସମୟରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ବିଭିନ୍ନ ପାରମ୍ପାରିକ ବାଦ୍ୟରେ ମା'ଙ୍କୁ ପାଛୋଟି ଅଣାଯାଉଥିଲା । ଛତର ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ୧୩ ପ୍ଳାଟୁନ ପୋଲିସ ଫୋର୍ସ, ୨୫ଟି ଛକରେ ଟ୍ରାଫିକ ନିୟନ୍ତ୍ରଣ ଓ ୩୫ଟି ସିସିଟିଭି କ୍ୟାମେରା ଟାଉନଥାନା କଂଟ୍ରୋଲ ରୁମରୁ କଂଟ୍ରୋଲ କରାଯାଇଥିଲା । ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି।