ଭୁବନେଶ୍ୱର: ଖୁବ ଶୀଘ୍ର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ସଂପ୍ରସାରଣ ହେବ । ଭୁବନେଶ୍ୱରରେ ଟର୍ମିଲାନ୍-୩ ନିର୍ମାଣ ହେବ । ଏଥିପାଇଁ ଯୋଜନା ପ୍ରସ୍ତୁତ ହେଉଥିବାବେଳେ ଯଥାଶୀଘ୍ର କାମ ଆରମ୍ଭ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ମନ୍ତ୍ରୀ କେ. ରାମମୋହନ ନାଇଡୁ ।
ଭୁବନେଶ୍ୱରରେ ଆୟୋଜିତ ବି-ମାନ୍ (B-MAAN) ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ବେସାମିରକ ମନ୍ତ୍ରୀ କେ.ରାମମୋହନ ନାଇଡ଼ୁ । ଏହା ପୂର୍ବରୁ ସେ କହିଛନ୍ତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରର ସଂପ୍ରସାରଣ କାମ ଖୁବଶୀଘ୍ର ଆରମ୍ଭ ହେବ । ଟର୍ମିନାଲ-୧ ଏବଂ ୨ ଯଥା ଗୋଟିଏ ଘରୋଇ ଏବଂ ଅନ୍ତର୍ଜାତୀୟ ଟର୍ମିନାଲ ରହିଛି । ବର୍ଦ୍ଧିତ ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏବେ ଟର୍ମିନାଲ-୩ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଏଥିରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟକୁ ସ୍ଥାନ ଦିଆଯିବ । ଏଥିପାଇଁ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ସେହିପରି ରାଜ୍ୟରେ ପ୍ରାୟ ୨୦ଟି ଏୟାରଷ୍ଟ୍ରିପ୍ ପଡ଼ିଛି । ବ୍ରିଟିଶ୍ ଅମଲରୁ ପଡ଼ିଥିବା ଏୟାରଷ୍ଟ୍ରିପକୁ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରାଯିବ । ଏଥିପାଇଁ ରାଜ୍ୟ ସରକାର ଆଗେଇ ଆସି ସମର୍ଥନ କଲେ ଉକ୍ତ ୨୦ ଏୟାରଷ୍ଟ୍ରିପକୁ ବିମାନବନ୍ଦରରେ ପରିଣତ କରାଯିବ । ସେପଟେ ପୁରୀ ବିମାନ ବନ୍ଦର ପାଇଁ ମଧ୍ୟ କେନ୍ଦ୍ର ସରକାର ଅନୁମୋଦନ ଦେଇସାରିଛନ୍ତି । କେମିତି କାମ ଆରମ୍ଭ ହେବ ତାହା ଏବେ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ମନ୍ତ୍ରୀ ।
ମନ୍ତ୍ରୀ ଆହୁରି କହିଛନ୍ତି, ଗତ ୧୦ ବର୍ଷରେ ଦେଶରେ ବେସାମରିକ ବିମାନ ଚଳାଚଳର ଅଭିବୃଦ୍ଧି ହୋଇଛି । ଏବେ ଦେଶର ଅନେକ ଛୋଟ ସହରରେ ବିମାନବନ୍ଦର ନିର୍ମାଣ ହୋଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍କିମରେ ୩୫୦ ନୂତନ ବିମାନବନ୍ଦର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୧୦ ବର୍ଷରେ ଦେଶରେ ୧୨୦ଟି ନୂଆ ଗନ୍ତବ୍ୟସ୍ଥଳ ସୃଷ୍ଟିକରିବାକୁ ଲକ୍ଷ୍ୟ ରହିଛି ।
‘ଉଡ଼ାଣ ଯାତ୍ରୀ କାଫେ’ର ଉଦଘାଟନ
ତେବେ ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିମାନବନ୍ଦର ପରିସରରେ ‘ଉଡ଼ାଣ ଯାତ୍ରୀ କାଫେ’ର ଶୁଭ ଉଦଘାଟନ କେନ୍ଦ୍ର ମନ୍ତ୍ରୀଙ୍କ କରମଳରେ କରାଯାଇଛି । ଏହି କାଫେର ସୁଲଭ ମୂଲ୍ୟରେ ଯାତ୍ରୀଙ୍କ ପାଇଁ ଖାଦ୍ୟ ପରସାଯିବ । ଯେଉଁଥିରେ ଚା’ଠାରୁ ଆରମ୍ଭ କରି ସିଙ୍ଗଡ଼ା ପର୍ଯ୍ୟନ୍ତ ଅତି କମ୍ ମୂଲ୍ୟରେ ଉପଲବ୍ଧ ହେବ । ଆଗାମୀ ଦିନରେ ଦେଶର ୧୫ ବିମାନ ବନ୍ଦରରେ ଏହି କାଫେ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।