କୋରାପୁଟ: ଭିଡ଼ିଓ ପାଇଁ ଜୀବନକୁ ବାଜି । ବ୍ଲଗ ସୁଟିଂ ବେଳେ ପ୍ରଖର ଜଳସ୍ରୋତରେ ଭାସିଗଲେ ୟୁଟ୍ୟୁବର । ବ୍ରହ୍ମପୁରର ଜଣେ ୨୨ ବର୍ଷୀୟ YouTuber ସାଗର ଟୁଡୁ, ଶନିବାର ଦିନ କୋରାପୁଟ ଜିଲ୍ଲାର ଡୁଡୁମା ଜଳପ୍ରପାତ ଭାସିଯାଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳୁ ନାହିଁ।
ସୂଚନା ମୁତାବିକ, ବ୍ରହ୍ମପୁରର ସାଗର ଟୁଡୁ ତାଙ୍କ ୟୁଟ୍ୟୁବ ଚ୍ୟାନେଲ୍ ପାଇଁ ତାଙ୍କ ବନ୍ଧୁ କଟକର ଅଭିଜିତ୍ ବେହେରାଙ୍କ ସହ ମିଶି ଡୁଡୁମା ଜଳପ୍ରପାତରେ ଡ୍ରୋନ୍ ସାହାର୍ଯ୍ୟରେ ଭିଡ଼ିଓ ସୁଟିଂ କରୁଥିଲେ । ଏହି ସମୟରେ ମାଛକୁଣ୍ଡ ଡ୍ୟାମର ୭ ନମ୍ବର ଗେଟ୍ ଖୋଲିବା ଯୋଗୁଁ ଜଳସ୍ତର ବଢିଯାଇଥିଲା । ପର୍ଯ୍ୟଟକ ମାନେ ପାଣି ମାଡ଼ିଆସୁଥିବା ଦେଖି ପାଟିକରିବାରୁ ଅଭିଜିତ୍ ବେହେରା ବାହାରି ଆସିଥିବା ବେଳେ ସାଗର ବାହାରି ପାରିନଥିଲେ । ସେ ଡୁଡୁମା ଜଳପ୍ରପାତର ୫୫୦ ଫୁଟ ତଳକୁ ଖସିଯାଇ ନିଖୋଜ ହୋଇଯାଇଛନ୍ତି ।
ଶନିବାର ଅପରାହ୍ନରେ ସାଗର ଜଳପ୍ରପାତରେ ଡ୍ରୋନ୍ କ୍ୟାମେରା ବ୍ୟବହାର କରି ଭିଡ଼ିଓ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଘଟଣାଟି ସମ୍ପୂର୍ଣ୍ଣ ଭାବେ କ୍ୟାମେରାରେ କଏଦ୍ ହୋଇଛି । ଭିଡିଓରେ ଦେଖାଯାଉଛି ଯେ ସାଗର ଟୁଡୁ ଜଳପ୍ରପାତ ମଝିରେ ଠିଆ ହୋଇଛନ୍ତି ଏବଂ ଅନ୍ୟମାନେ ତାଙ୍କୁ ରଶି ବ୍ୟବହାର କରି ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ, ଏକ ପ୍ରଖର ସ୍ରୋତ ତାଙ୍କୁ ଭାସାଇ ନେଇ ଯାଇଥିଲା । ତେବେ ମାଛକୁଣ୍ଡ ଡ୍ୟାମ୍ କର୍ତ୍ତୃପକ୍ଷ ଲମତାପୁଟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୨୦୦୦ କ୍ୟୁସେକ୍ ପାଣି ଛାଡିଥିଲେ, ଯାହା ପରେ ତଳମୁଣ୍ଡରେ ରହୁଥିବା ବାସିନ୍ଦାଙ୍କୁ ସତର୍କ ସୂଚନା ଜାରି କରାଯାଇଥିଲା। ହଠାତ୍ ଜଳ ପ୍ରବାହ ବୃଦ୍ଧି ପାଇବା ଫଳରେ ସାଗର ମଝି ପଥର ଉପରେ ଫସି ରହିଥିଲେ।
ଅଧିକ ପଢନ୍ତୁ: ସୱାଇ ମାଧୋପୁରରେ ଡ୍ୟାମ୍ରୁ ଉଛୁଳିଲା ବନ୍ୟାଜଳ; ମାଟି ଦବିଗଲା ୫୫ ଫୁଟ୍
ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ଦ୍ୱାରା ଉଦ୍ଧାର ପ୍ରୟାସ ସତ୍ତ୍ୱେ, ଯୁବକ ଜଣକ ପ୍ରବାହିତ ପାଣିରେ ଭାସି ଯାଇଥିଲେ। ସୂଚନା ପାଇ ମାଛକୁଣ୍ଡ ପୋଲିସ ଷ୍ଟେସନ ଏବଂ ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ ଅଭିଯାନ ଆରମ୍ଭ କରିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳି ପାରିନାହିଁ । ଏନେଇ କୋରାପୁଟର ପୋଲିସ ଅଧୀକ୍ଷକ କହିଛନ୍ତି, ଉଦ୍ଧାର କାର୍ଯ୍ୟ ପାଇଁ ODRAF ଏବଂ ଅଗ୍ନିଶମ ଦଳକୁ ସେଠାରେ ନିୟୋଜିତ କରାଯାଇଛି।