ଫୁଲବାଣୀ : ରାଜ୍ୟର ଆଗଧାଡିର ବିଜେପି ଆଦିବାସୀ ନେତା ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପରଲୋକ। ଗତକାଲି ରାତିରେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଦୁଇ ଦୁଇ ଥରର ପୂର୍ବତନ ବିଧାୟକ ଆଦିମ ଆଦିବାସୀ କୁଟିଆ କନ୍ଧ ଲୋକଙ୍କ ପ୍ରିୟ ନେତା କରେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ସାରା ଜିଲ୍ଲାବାସୀଙ୍କୁ ମର୍ମାହାତ କରିଛି। ସାରା ଜିଲ୍ଲା ଶୋକର ଛାୟା । ଏହି ଦୁଃଖଦ ଖବର ଶୁଣିବା କ୍ଷଣି ରାଜ୍ୟର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତ ରାତି ୧୨ଟାରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥଲେ। ଏହା ସହିତ ଜନନେତା କରେନ୍ଦ୍ର ଭାଇଙ୍କୁ ଶେଷ ସମ୍ମାନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଜଗତସିଂପୁର ସାଂସଦ ବିଭୂ ତରାଇ, ବରିଷ୍ଠ ବିଜେପି ନେତା ସୁଦୀପ୍ତ ରାୟ, ଜୟନ୍ତୀ ପଢ଼ିଆରୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ପାରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ସୋମବାର ସକାଳେ ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଆଜି ଅପରାହ୍ନ ସୁଦ୍ଧା ନୟାଗଡ଼ - ଦଶପଲ୍ଲା ହୋଇ ଫୁଲବାଣୀରେ ପହଞ୍ଚିବ । ଏଫ୍ ସି ଆଇ ଛକ ଠାରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ,ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତା ମାନେ ଶେଷ ଦର୍ଶନ ପରେ ଏକ ଶୋଭାଯାତ୍ରାରେ ସହରରେ ଲୋକଙ୍କ ଅନ୍ତିମ ଶ୍ରଦ୍ଧାଞ୍ଜଳୀ ନିମନ୍ତେ ପରିକ୍ରମା କରିବ । ପରେ ପରେ ବାଲିଗୁଡ଼ା ଅଭିମୁଖେ ଯିବ। ବାଲିଗୁଡ଼ାରେ ଶେଷ ଦର୍ଶନ କରିବେ ଲୋକେ। ପରେ ପରେ କୁର୍ତ୍ତମଗଡ,ତୁମୁଡ଼ିବନ୍ଧ ହୋଇ ନିଜ ଗ୍ରାମ ବେଲଘରର ଗୁମା ନିକଟ ପେଡ଼ାମ୍ ଗାଁକୁ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ଦୁଃଖଦ ଖବର ପାଇବା ପରେ ଶୋକ ବ୍ୟକ୍ତ କରିଛନ୍ତି ଜିଲ୍ଲାର ବିଜେପି ନେତୃବର୍ଗ ।