ଭୁବନେଶ୍ୱର: ରାଜ୍ୟପାଳ ହରିବାବୁ କମ୍ଭମପାଟି ସୋମବାର ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ରାଜ୍ୟପାଳ ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରାୟ ୨୦ ମିନିଟ୍ ରାଜ୍ୟପାଳ ଆଲୋଚନା କରିବା ପରେ ଫେରି ଆସିଥିଲେ ।
ବିଜେଡ଼ି ଉପସଭାପତି ଦେବୀପ୍ରସାଦ ମିଶ୍ର ମଧ୍ୟ ରାଜ୍ୟପାଳଙ୍କ ଗସ୍ତ ନେଇ ମଧ୍ୟ ସୂଚନା ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ବୋଲି କହିଛନ୍ତି ।
ଏହା ପୂର୍ବରୁ ଗତ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନବୀନଙ୍କୁ ଭେଟିଥିଲେ । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ନବୀନଙ୍କ ସୁସ୍ଥତା କାମନା କରିବା ସହିତ ତୁରନ୍ତ ସୁସ୍ଥ ହୋଇ ବିଧାନ ଆସିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ ।
ପ୍ରକାଶ ଥାଉକି, ନବୀନ ପଟ୍ଟନାୟକ ଗତ ୧୭ ତାରିଖ ଦିନ ଡିହାଇଡ୍ରେସନ୍ ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସୁସ୍ଥ ହୋଇ ନବୀନ ଘରକୁ ଫେରିଥିଲେ । ଭାଇ ପ୍ରେମ୍ ପଟ୍ଟନାୟକ ମଧ୍ୟ ଦିଲ୍ଲୀରୁ ଆସି ନବୀନଙ୍କୁ ଭେଟିଥିଲେ ।