ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ମାଁ ସମଲେଶ୍ୱରୀଙ୍କ ମନ୍ଦିର ଠାରେ ଆଜି ନୂତନ ସିନ୍ଦୁର ଲାଗି ହୋଇଛି । ପ୍ରଥମେ ମନ୍ଦିର ପୂଜକ ମାନେ ଶ୍ରୀ ଗଣେଶଙ୍କୁ ଆବାହନ କରି ପୂଜାର୍ଚନା କରିବା ପରେ ମାଁ ସମଲେଶ୍ୱରୀଙ୍କ ମନ୍ଦିର ଚତୁର ପାର୍ଶ୍ଵରେ ଥିବା 115 ପାର୍ଶ୍ୱ ଦେବାଦେବୀ ମାନଙ୍କୁ ନୂତନ ସିନ୍ଦୁର ଲାଗି କରାଯାଇଥିଲା । ମନ୍ଦିରର ସମସ୍ତ ପୂଜକ ମାନେ ମିଶି ଏହି କାର୍ଯ୍ୟ ସମାପନ କରିଛନ୍ତି ।
ଆଜି ସିନ୍ଦୁର ଲାଗି ହେବା ପରେ ମନ୍ଦିରର ଚତୁଃପାର୍ଶ୍ୱକୁ ପରିଷ୍କାର କରାଯାଇଥାଏ । ଏହାପରେ ଆସନ୍ତା କାଲି ମାଁଙ୍କ ଠାରେ ଲାଗିଥିବା ଗହଣା, ଅଳଙ୍କାର କୁ ମଧ୍ୟ ସଫା କରାଯିବ । ମନ୍ଦିର ପ୍ରଶାସନ, ପୂଜକ ଓ ପୋଲିସର ଉପସ୍ଥିତିରେ ଏହି ଗହଣା ସଫା କରାଯାଇଥାଏ । ତେବେ ଆସନ୍ତା 28 ତାରିଖରେ ସାରା ପଶ୍ଚିମ ଓଡ଼ିଶାରେ ଏହି କୃଷି ଭିତ୍ତିକ ଗଣପର୍ବ ନୁଆଁଖାଇ କୁ ଲୋକେ ବେଶ ହସ ଉଲ୍ଲାସ ରେ ପାଳନ କରିବେ । ପ୍ରଥମେ ମାଁ ସମଲେଶ୍ୱରୀ ଙ୍କ ଠାରେ ପ୍ରଥମ ନବନ୍ନ ଲାଗି ହେବା ପରେ ପଶ୍ଚିମ ଓଡିଶାବାସୀ ନୁଆଁ ଖାଇବେ ସେଥିପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି ।