ଭୁବନେଶ୍ଵର: ଖୁବ ଶୀଘ୍ର ଚିଲିକା ହ୍ରଦରୁ ଉଡ଼ିବ ସି-ପ୍ଲେନ୍ । ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶର ୨ଟି ରୁଟରେ ସି-ପ୍ଲେନ ସେବା ଆରମ୍ଭ ହୋଇପାରେ । ସମ୍ଭାବ୍ୟ ରୁଟ ତାଲିକରେ ଓଡ଼ିଶାର ଚିଲିକା-ଆନ୍ଧ୍ରପ୍ରଦେଶ ନେଟ୍ଓ୍ବାର୍କ, ଆଣ୍ଡାମାନ ଓ ନିକୋବର ଏବଂ କେରଳ ରହିଥିବା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରପ୍ପୁ ।
ଭୁବନେଶ୍ୱରଠାରେ ସୋମବାର ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀର ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମ୍ମିଳନୀକୁ ଉଦାଘାଟନ କରିଛନ୍ତି । କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁ ଯୋଗଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପୂର୍ବରୁ ବି ଦେଶର ଗୋଟିଏ ରୁଟରେ ସିପ୍ଲେନ ଚାଲୁଥିଲା । କିନ୍ତୁ ଏବେ ସରକାର ସି-ପ୍ଲେନ ପାଇଁ ଥିବା ନିୟମାବଳୀକୁ ସରଳ କରିଛନ୍ତି । ଏହା ଫଳରେ ଆସନ୍ତା ଅକ୍ଟୋବର ସୁଦ୍ଧା ୨ଟି ରୁଟରେ ସି-ପ୍ଲେନ ସେବା ଆରମ୍ଭ ହେବା ଆଶା କରାଯାଉଛି । ଆଣ୍ଡାମାନ- ନିକୋବର, କେରଳ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଚିଲିକା ସମେତ ସମଗ୍ର ପୂର୍ବାଞ୍ଚଳ ରୁଟରେ ଏହି ସେବା ଆରମ୍ଭ ହୋଇପାରେ । ସି-ପ୍ଲେନ ଚଳାଚଳ, ୱାଟରଡୋମ୍, ପାଇଲଟଙ୍କ ପ୍ରଶିକ୍ଷଣ ଆଦି ନିୟମରେ ସଂଶୋଧନ କରାଯାଇ ସରଳ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଓଡ଼ିଆ ଭାଷାରେ ମଧ୍ୟ ଭାଷଣ ଦେଇଥିଲେ ।