ଭୁବନେଶ୍ୱର: ଉତ୍ତର ଦେଇ ନ ପାରିବାରୁ ଶିକ୍ଷୟତ୍ରୀଙ୍କୁ କ୍ରୋଧର ଶୀକାର ହୋଇଛନ୍ତି ଜଣେ ଛାତ୍ରୀ । ଶିକ୍ଷୟତ୍ରୀ ଜଣକ ଛାତ୍ରୀଙ୍କୁ ମାଡ଼ ମାରି ଆଖି ପତା ଫଟାଇ ଦେଇଛନ୍ତି । ଭୁବନେଶ୍ୱର ଡୁମଡୁମା ଫେଜ୍-୨ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଭିଭାବକ ।
ଅଭିଯୋଗ ମୁତାବକ, ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ ବୁଧବାର ଚତୁର୍ଥ ଶ୍ରେଣୀରେ ଗଣିତ ପଢ଼ାଉଥିଲେ । ଏହି ସମୟରେ ଜଣେ ଛାତ୍ରୀ ଉତ୍ତର ଦେଇ ପାରିନଥିଲେ । ପିଲାକୁ ଗଣିତ ଆସିଲାନି ଶିକ୍ଷୟତ୍ରୀ ତାଙ୍କୁ ଅମାନୁଷିକଭାବେ ମାଡ଼ ମାରିଥିଲେ । ଫଳରେ ୯ ବର୍ଷ ବୟସର ଛାତ୍ରୀଙ୍କ ଆଖି ପତା ଫାଟିଯାଇ ରକ୍ତ ବାହାରିଥିଲା । ପରିବାର ଲୋକେ ଖବର ପାଇ ସ୍କୁଲରେ ପହଁଚିଥିଲେ । ଛାତ୍ରୀଙ୍କୁ ତୁରନ୍ତ ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ସେପଟେ ଶିକ୍ଷୟତ୍ରୀ ଗୀତାଞ୍ଜଳି ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଜାଣିଶୁଣି ଏଭଳି କରି ନାହାଁନ୍ତି ବୋଲି କହିଛନ୍ତି । ଗାଲକୁ ମାରିବା ସମୟରେ ଆଖିରେ ହାତ ବାଜି ଯାଇଥିବା ସଫେଇ ଦେଇଛନ୍ତି ।