ଭୁବନେଶ୍ୱର ; ଅପରାଧୀଙ୍କ କବ୍ଜାରେ ପୁରା ସହର । ରାତି ଅଧରେ ରାଜଧାନୀ ଛାତି ଉପରେ ବୁଲିଲା ଖଣ୍ଡା । ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଗୁରୁତର ଯୁବକ ଜଣଙ୍କ ନାଁ ବିକି ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ବିକି ନୂଆ ଫରେଷ୍ଟ ପାର୍କ ରୋଡରେ ବାଇକରେ ଯାଉଥିବାବେଳେ ଏକ କାର୍ ତାଙ୍କ ବାଇକକୁ ଧକ୍କା ଦେଇଥିଲା । ସେ ତଳେ ପଡିଯିବା ପରେ ହଠାତ କାରରୁ ୧୦ରୁ ୧୫ ଜଣ ଯୁବକ ବାହାରି ଖଣ୍ଡାରେ ଆକ୍ରମଣ କରିଥିଲେ। ଜୀବନ ବଂଚାଇବାକୁ ବିକି ଜୀବନ ବିକଳେ ଦୈାଡିଥିଲେ ମଧ୍ୟ ଦୁର୍ବୃତ୍ତ ମାନେ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ଖବର ପାଇ ଏୟାରପୋର୍ଟ ଥାନା ପୋଲିସ ବିକିଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସପିଟାଲ ପଠାଇଥିଲା । ହେଲେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନାତର କରାଯାଇଛି । ଏହି ଆତଙ୍କରାଜ ଖେଳାଇବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି । ଗତବର୍ଷ ବିକି ଓ ହାଣିଥିବା ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହଣାକଟା ହୋଇଥିଲା । ତେଣୁ ପୂର୍ବ ଶତ୍ରୁତାକୁ ନେଇ ପୁଣି ହଣାକଟା ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।