ସମ୍ବଲପୁର: ସାତ ଜନ୍ମ ପାଇଁ ସାଥୀ ହେବେ ବୋଲି କଥା ଦେଇଥିଲେ । କିନ୍ତୁ କର୍ମ ଆଗରେ ପରିବାରକୁ ପଛ କରିଥିଲେ ଯବାନ । ଦେଶ ମାତୃକା ପାଇଁ ନିଜର ଶଯ୍ୟା ଶାୟୀ ସ୍ତ୍ରୀକୁ ଛାଡ଼ିକି କର୍ମ କ୍ଷେତ୍ରକୁ ଫେରି ଯାଇଥିଲେ ଯବାନ । ହେଲେ ଶେଷ ମୁହୂର୍ତ୍ତରେ ପାଖରେ ରହିପାରିଲେନି । ମୃତ୍ୟୁ ବିଛଣାରେ ରହି ସ୍ୱାମୀକୁ ବିଦାୟ ଦେଇଥିବା ସ୍ତ୍ରୀ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି । ସଶସ୍ତ୍ର ସୀମା ବଳରେ କାର୍ଯ୍ୟରତ ଥିବା ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଟେଙ୍ଗନାମାଲ ଗାଁର ଦେବରାଜ ଗଣ୍ଡଙ୍କ ପତ୍ନୀ ଲିପି ଗଣ୍ଡଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ୧୫ ଦିନ ଧରି ଅଚେତ୍ ଅବସ୍ଥାରେ ରହିବା ପରେ ଶେଷରେ ଦେବରାଜଙ୍କ ପ୍ରସୂତି ପତ୍ନୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୁର୍ଲା ଭିମସାରଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଟେଙ୍ଗନାମାଲ ଗାଁର ଦେବରାଜ ଗଣ୍ଡ ସଶସ୍ତ୍ର ସୀମା ବଳରେ କାର୍ଯ୍ୟରତ ଅଛନ୍ତି । ସେ ଅରୁଣାଚଳ ପ୍ରଦେଶରେ କାର୍ଯ୍ୟରତ ଅଛନ୍ତି । ସ୍ତ୍ରୀଙ୍କ ପ୍ରସୂତି ପାଇଁ ଦେବରାଜ ଛୁଟିରେ ଥିଲେ । ତାଙ୍କ ପତ୍ନୀ ଲିପି ଗଣ୍ଡ ଏପ୍ରିଲ ୨୮ ତାରିଖରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଭିମସାର ମେଡ଼ିକାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସେବେଠାରୁ ସେ ଅଚେତ ଅବସ୍ଥାରେ ଥିଲେ । ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରୁ ଦେବରାଜଙ୍କର ଛୁଟି ବାତିଲ ହୋଇଥିଲା ।
ଗତ ରବିବାର ଦିନ ସେ ସ୍ତ୍ରୀକୁ ଆଇସିୟୁରେ ଛାଡ଼ି ଲୁହ ଭିଜା ଆଖିରେ କର୍ମକ୍ଷେତ୍ରକୁ ଫେରି ଯାଇଥିଲେ । କିନ୍ତୁ ଏପଟେ ତାଙ୍କ ସ୍ତ୍ରୀ ସବୁଦିନ ପାଇଁ ଛାଡ଼ି ଚାଲି ଯାଇଛନ୍ତି । ଯାହାକୁ ନେଇ ଦେବରାଜଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି ।