ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଘରୋଇ ବିଶ୍ବବିଦ୍ୟାଳୟରେ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଡ୍ରଗ୍ସ ନେବାକୁ ମନା କରିବାରୁ ଛାତ୍ରଙ୍କୁ ପାଇଖାନା ଚଟାଣ ଚଟାଇ ମାଡ଼ ମାରିଛନ୍ତି ସିନିୟର୍ ଛାତ୍ର ଓ ସହପାଠୀ । ଖାଲି ସେତିକି ନୁହେଁ, ଛାତ୍ରଙ୍କୁ ଦୁଇଲକ୍ଷ ଟଙ୍କା ଦେବାକୁ ମଧ୍ୟ ଧମକ ଦିଆଯାଇଛି । ଏନେଇ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ଛାତ୍ରଙ୍କ ଅଭିଭାବକ ।
ସୂଚନା ଅନୁସାରେ, ଛାତ୍ର ଜଣଙ୍କ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ହୋଇଥିବାବେଳେ ସେ ଉକ୍ତ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିଲେ । ତାଙ୍କର ଜଣେ ସହପାଠୀ ଓ ସିନିୟର୍ କଲେଜର ଦ୍ବିତୀୟ ମହଲାକୁ ଡାକିନେଇଥିଲେ । ସେଠାରେ ପାଇଖାନା ପ୍ୟାନରେ ଛାତ୍ରଙ୍କ ମୁହଁ ଭର୍ତ୍ତି କରିବା ସହ ତାଙ୍କୁ ଚଟାଣ ଚଟାଇଥିଲେ । ଏହାସହ ଦୀର୍ଘ ଦୁଇ ଘଣ୍ଟା ଧରି ମାଡ ମାରିବା ପରେ ବାହାରକୁ ଡାକିନେଇ ଡ୍ରଗ୍ସ ନେବାକୁ ବାଧ୍ୟ କରିଥିଲେ । ଏପରିକି ଦୁଇ ଲକ୍ଷ ଟଙ୍କା ଦେବାକୁ ଧମକାଇଥିଲେ ।
ଏନେଇ ଯୁବକ ଜଣକ ତାଙ୍କ ପରିବାରକୁ ଜଣାଇଥିଲେ । ପରିବାର ଲୋକେ କଲେଜ କର୍ତ୍ତୃପକ୍ଷଙ୍କୁ ଇ-ମେଲ୍ ଜରିଆରେ ଜଣାଇଥିଲେ । କଲେଜ କର୍ତ୍ତୃପକ୍ଷ ଛାତ୍ରଙ୍କ ପରିବାରକୁ ଡାକି ଆପୋଷ ସମାଧାନ କରିବାକୁ କହିଥିଲେ । କିନ୍ତୁ ପୀଡିତଙ୍କ ପରିବାର ପିପିଲି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଛାତ୍ରଙ୍କ ଡାକ୍ତରୀ ପରୀକ୍ଷା କରିବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।