ଭୁବନେଶ୍ୱର: ଓଡ଼ିଶାରେ ଜାତୀୟ ଶିକ୍ଷାନୀତି ଲାଗୁ କରିବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଷ୍ଟିଅରିଂ କମିଟି ଗଠନ କରାଯାଇଛି । ଏନଇପି (ନ୍ୟାସନାଲ ଏଜୁକେସନାଲ ପଲିସି) କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଏହି କମିଟି ଗଠନ କରିଛନ୍ତି । ୧୬ ଜଣିଆ ସଦସ୍ୟଙ୍କୁ ନେଇ ଷ୍ଟିଅରିଂ କମିଟି ଗଠିତ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କମିଟିର ଅଧ୍ୟକ୍ଷ ଭାବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି । କମିଟିର ସଦସ୍ୟମାନେ ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ପାଠ୍ୟ ଖସଡା ପ୍ରସ୍ତୁତ କରିବେ ।
ଏନଇପି ଲାଗୁ ପାଇଁ ଜାନୁଆରୀ ୨୧,୨୨, ୨୩ରେ ଏନେଇ କର୍ମଶାଳା ଅନୁଷ୍ଠିତ ହେବ । ଏହା ଦ୍ୱାର ଜିରୋ ଡ୍ରପ୍ ଆଉଟ ସହ ଗୁଣାତ୍ମକ ଶିକ୍ଷା ମିଳିପାରିବ । ପରବର୍ତ୍ତୀ ସମୟରେ ବାଲବାଟିକା ୧ ଓ ୨ ବି ନେବାକୁ ଯୋଜନା ରହିଛି ।
ପ୍ରାଥମିକସ୍ତରରେ ପିଲାଙ୍କ ଶିକ୍ଷାର ମାନଦଣ୍ଡ ଆଧାରରେ ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେବ । ଜାତୀୟ ଶିକ୍ଷାନୀତିରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯିବ। ବିଦ୍ୟାଳୟସ୍ତରରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ । ଏହା ଦ୍ୱାରା ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ । ଏହା ସହିତ ଓଡ଼ିଆ ଭାଷା କଳା ଓ ସଂସ୍କୃତିକୁ ପାଠ୍ୟ ଖସଡ଼ାରେ ସାମିଲ କରାଯିବ ।