ସମ୍ବଲପୁର: ପୁଣି ଥରେ ଉଠିଛି ବହୁ ଚର୍ଚ୍ଚିତ ସମ୍ବଲପୁର ବିଶ୍ଵବିଦ୍ୟାଳୟ କର୍ମଚାରୀଙ୍କ ଆତ୍ମଦାହ ମାମଲା ପ୍ରସଙ୍ଗ । ଦୀର୍ଘ ୪ ବର୍ଷ ପରେ ଜ୍ୟୋତି ବିହାରର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ମାମଲାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ବାଲେଶ୍ୱର ଏଫ୍ ଏମ୍ କଲେଜ ମାମଲାରେ ରାଜ୍ୟ ସରକାରଙ୍କ ତତ୍ପରତାକୁ ଦେଖି ପୁଅ ଅଭିଷେକ ମିଶ୍ର ତାଙ୍କ ବାପାଙ୍କ ମାମଲାରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଗୁହାରି କରିଛନ୍ତି ।
୨୦୨୧, ଏପ୍ରିଲ ୨୦ ତାରିଖରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀଭାବେ କାର୍ଯ୍ୟରତ ଥିବା ଦୀନବନ୍ଧୁ ମିଶ୍ର ତତ୍କାଳୀନ କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମଦାହ କରିଥିଲେ । କାର୍ଯ୍ୟକ୍ଷେତ୍ରରେ ମାନସିକ ନିର୍ଯାତନା ଓ ଅପମାନକୁ ସହି ନ ପାରି ସେ ଏପରି କରିଥିବା ଜଣାପଡ଼ିଥଲା । ଆତ୍ମାହୁତି ପୂର୍ବରୁ ଦିନବନ୍ଧୁ ମିଶ୍ର ଏକ ଚିଠି ମଧ୍ୟ ଲେଖିଥିଲେ ।
ତତ୍କାଳୀନ କୁଳପତି ସଞ୍ଜୀବ ମିତ୍ତଲ, ପିଇଓ ଅବିନାଶ କର ଏବଂ ପ୍ରଫେସର ବିଶ୍ଵଜିତ ଶତପଥୀଙ୍କ ବିରୋଧରେ ଦୀନବନ୍ଧୁଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତତ୍କାଳୀନ ବିଜେଡ଼ି ମନ୍ତ୍ରୀ ଏବଂ ସାଂସଦ ସୁରେଶ ପୂଜାରୀଙ୍କୁ ଗୁହାରି କରିଥିଲେ । ସାଂସଦ ସୁରେଶ ପୂଜାରୀ ମଧ୍ୟ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ । କିନ୍ତୁ ତତ୍କାଳୀନ ସରକାର ଏଥିପ୍ରତି ଦୃଷ୍ଟି ଦେଇନଥିଲେ । ତେଣୁ ବର୍ତ୍ତମାନର ବିଜେପି ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଅ ଅଭିଷେକ ଦାବି କରିଛନ୍ତି ।