ଭୁବନେଶ୍ୱର: ଶ୍ୱଶୁର ଘରେ ଜ୍ୱାଇଁଙ୍କ ଆତଙ୍କରାଜ । ସାମାନ୍ୟ ବଚସାରୁ ଲଙ୍କା କାଣ୍ଡ ଭିଆଇଛନ୍ତି ଜ୍ୱାଇଁ । ମତାନ୍ତର ଯୋଗୁଁ ନିଜ ଶଶୁର ଘରେ ବୋମାମାଡ଼ କରିଛନ୍ତି ଉତ୍ୟକ୍ତ ଜ୍ୱାଇଁ । ଯାହା ଫଳରେ ଘରେ ଥିବା ଅନେକ ଆସବାବପତ୍ର ନଷ୍ଟ ହୋଇ ଯାଇଥିବା ବେଳେ ପରିବାରର ସଦସ୍ୟ ମାନେ ଅଳ୍ପକେ ବର୍ତି ଯାଇଛନ୍ତି ।
ସୂଚନାନୁଯାୟୀ ଘଟଣାଟି ନରସିଂହପୁର ଥାନା ଅନ୍ତର୍ଗତ ମୁସଲମାନ ସାହିରେ ଘଟିଯାଇଛି । ନରସିଂହପୂର ଅଞ୍ଚଳର ସୁଲତାନ ମହମ୍ମଦଙ୍କ ଘରକୁ ତାଙ୍କ ଜ୍ୱାଇଁ ଅବଦୁଲ ମନସୁର ଆସିଥିଲେ । ଅବଦୁଲ ଖୋର୍ଦ୍ଧାର ମୁକୁନ୍ଦପୁରର ବାସିନ୍ଦା ଅଟନ୍ତି । ବିଳମ୍ବିତ ରାତ୍ରିରେ ସ୍ୱାମୀ - ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ମନାନ୍ତର ଘଟିଥିଲା । ଯେଉଁଥିରେ ମନସୁର କ୍ରୋଧାନ୍ୱିତ ହୋଇ ନିଜର ଦୁଇ ସହଯୋଗୀଙ୍କ ସହିତ ମିଶି ଶଶୁରଙ୍କ ଘରେ ଆସି ଦୁଇଟି ବୋମା ମାଡ଼ କରିଥିଲେ । ବୋମାମାଡ଼ ଫଳରେ ଘରର ବିଭିନ୍ନ ଆସବାବପତ୍ର ନଷ୍ଟ ହୋଇଯାଇଛି । ପରିବାରର ସଦସ୍ୟ ମାନେ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ କେହି ମୃତାହତ ହୋଇନାହାନ୍ତି ।