ସମ୍ବଲପୁର: ସ୍ପଷ୍ଟ ଦିବାଲୋକରେ ବଡ଼ ଧରଣର ଡକାୟତି । ପୁଣି ଥରେ ଡକାୟତଙ୍କ ଟାର୍ଗେଟରେ ମଣରପୁରମ୍ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟ । ସମ୍ବଲପୁର ଜିଲ୍ଲା ଅଇଁଣ୍ଠାପାଲି ଥାନା ଅନ୍ତର୍ଗତ ବୁଢ଼ାରାଜା ବଜାରରେ ଥିବା ମଣପୁରମ୍ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ହୋଇଛି । ଏ ନେଇ ଅଇଁଠାପାଲି ଥାନା ପୋଲିସକୁ ଖବର ଦିଆଯିବା ପରେ ତଦନ୍ତ ଆରମ୍ଭ ହୋଇଛି ।
ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ମଣପୁରମ୍ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟ ଖୋଲିବା ପରେ ମୁଖା ପିନ୍ଧା ଡକାୟତ ପଶିଥିଲେ । ୫ଟା ବାଇକରେ ୧୦ ଜଣ ଡକାୟତ ଆସିଥିଲେ । ଏହା ପରେ ବନ୍ଧୁକ ଦେଖାଇ ବ୍ୟାଙ୍କ୍ କର୍ମଚାରୀଙ୍କୁ ବାନ୍ଧିକି ନିର୍ଧୁମ ମାଡ଼ ମାରିଥିଲେ । ପରେ ବ୍ୟାଙ୍କରୁ ପ୍ରାୟ ୩୦ କିଲୋଗ୍ରାମ ସୁନା ପୋଛି ନେଇଛନ୍ତି । ଏ ନେଇ ବ୍ୟାଙ୍କ୍ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା ।
ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଁଛି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହିତ କର୍ମଚାରୀଙ୍କୁ ପଚାରଉଚରା କରୁଛି । ସମ୍ବଲପୁର ଅତିରିକ୍ତ ଏସି, ଆଇଆଇସି ପ୍ରମୁଖ ପହଁଚିଛନ୍ତି । ସହରର ବାହାରକୁ ଯାଉଥିବା ରାସ୍ତା ଗୁଡିକରେ ନାକାବନ୍ଦୀ କରାଯାଇଛି ବୋଲି କହିଛନ୍ତି ଅତିରିକ୍ତ ଏସପି । ଦିବା ଲୋକରେ ସମ୍ବଲପୁର ଭଳି ଏକ ବ୍ୟସ୍ତ ବହୁଳ ସମୟରେ ଏଭଳି ଏକ ବଡ଼ ଧରଣର ଡକାୟତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ତେବେ କିଛି ବର୍ଷ ତଳେ ବୁଢ଼ାରାଜା ଛକରେ ଥିବା ମୁଥହୁଟ୍ ଫାଇନାନ୍ସ କାର୍ଯ୍ୟାଳୟରୁ ମଧ୍ୟ ବଡ଼ ଧରଣର ଡକାୟତି ହୋଇଥିଲା ।