ଭୁବନେଶ୍ୱର: ମକର ସଂକ୍ରାନ୍ତି ଭଳି ଏକ ମହାନ ଦିନରେ ମହାପ୍ରଭୁ ଲିଙ୍ଗରାଜ ଉପବାସରେ ରହିଛନ୍ତି । ମଙ୍ଗଳବାର ସନ୍ଧ୍ୟାଠାରୁ ନୀତିକାନ୍ତି ବନ୍ଦ ରହିଛି । ସେପଟେ ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଏକାମ୍ର ବିଧାୟକ ବାବୁ ସିଂ ଚେତାବନୀ ଦେଇଛନ୍ତି ।
ଗତକାଲି ସନ୍ଧ୍ୟାରେ କ୍ଷୀର ଆଉଟା ନୀତିକୁ ନେଇ ବିବାଦ ସୃଷ୍ଟି ହୋଇଛି । ଉଭୟ ବ୍ରାହ୍ମଣ ଓ ବଡୁ ନିଯୋଗ ସେବାୟତ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି । ଶୀତ ଋତୁରେ ମକର ସଂକ୍ରାନ୍ତିରୁ କୁମ୍ଭ ସଂକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ଔଷଧ ବା ଘୃତଲେପନ ବିଧି କରାଯିବାର ପରମ୍ପରା ରହିଛି । ଏଥିଲାଗି ମକର ସଂକ୍ରାନ୍ତି ପୂର୍ବଦିନ କ୍ଷୀର ଆଉଟା ନୀତି କରାଯାଇଥାଏ । କିନ୍ତୁ ଗତକାଲି ଏହି ନୀତିରେ ବିଭ୍ରାଟ ସୃଷ୍ଟି ହୋଇଥିଲା । ବ୍ରାହ୍ମଣ ନିଯୋଗ ସମସ୍ତ ସରଞ୍ଜାମ ସଜାଡ଼ି ରଖିଥିଲେ । କିନ୍ତୁ ମେଘଡମ୍ବରୁ ଏବଂ କ୍ଷୀର ଆସିନଥିବା ଅଭିଯୋଗ କରି ବଡ଼ୁ ସେବାୟତମାନେ ନୀତି କରିବାକୁ ଅଡ଼ି ବସିଥିଲେ । ପରେ ମେଘଡମ୍ବରୁ ଆସିଥିବାବେଳେ କ୍ଷୀର ଆସିନଥିବା ଅଭିଯୋଗ କରିଥିଲେ । ଏହା ମନ୍ଦିରର ପ୍ରଶାସନିକ ଅଧିକାରୀ ଉପସ୍ଥିତ ନଥିବା ମଧ୍ୟ କହିଥିଲେ । ଯାହାକୁ ନେଇ ବିବାଦ ଦେଖାଯିବା ପରେ ବଡ଼ୁ ସେବାୟତ ମାନେ ପହୁଡ଼ ପକାଇ ଦେଇଥିଲେ ।
ତେବେ ୨୦୨୪ ଯାଏଁ ବଡ଼ୁ ସେବାୟତ ଘୃତକମଳ ନୀତି କରୁଥିଲେ । କିନ୍ତୁ ୨୦୨୫ରେ ଏହି ନୀତିରେ ପରିବର୍ତ୍ତନ କରାଯାଇଛି । ବଡ଼ୁ ନିଯୋଗ ବଦଳରେ ବ୍ରାହ୍ମଣ ନିଯୋଗ ଏହି ବିଧି କରିଥିଲେ । କାହିଁକି ନୀତିରେ ପରିବର୍ତ୍ତନ ହେଲା ବୋଲି ବଡ଼ୁ ନିଯୋଗ ପ୍ରଶ୍ନ କରିଛି ।
ମକର ଭଳି ଦିନରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଉପବାସରେ ରଖିବା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଶକ୍ତ ଧକ୍କା ଦେଇଛି । ଉଭୟ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କୁ ଶ୍ରଦ୍ଧାଳୁମାନ ଦାୟୀ କରିଛନ୍ତି ।
ଆଜି ସକାଳେ ଏକାମ୍ର ବିଧାୟକ ବାବୁ ସିଂ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ବାବା ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ନଦେବାକୁ ବିଧାୟକ ସେବାୟତମାନଙ୍କୁ ଅନୁରୋଧ କରିଛନ୍ତି । ସରକାର ଯଦି ଶୁଣିନାହାନ୍ତି ପୂଜା ପରେ ଆଲୋଚନା ହୋଇପାରିବ । ଯେଉଁମାନେ ନୀତିକାନ୍ତି ବନ୍ଦ କରିଛନ୍ତି ସେମାନଙ୍କର ସେବା କରିବାକୁ ଯୋଗ୍ୟତା ନଥିବା ବିଧାୟକ କ୍ଷୋଭର ସହ ପ୍ରକାଶ କରିଛନ୍ତି । ନୀତିକାନ୍ତି ବନ୍ଦ ରଖିଥିବା ସେବାୟତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାବୁ ସିଂ କହିଛନ୍ତି ।
ମହାପ୍ରଭୁ ଲିଙ୍ଗରାଜ ଉପବାସରେ ରହିବା କିଛି ନୂଆ ଘଟଣା ନୁହେଁ । ବିଭିନ୍ନ ପର୍ବପର୍ବାଣୀରେ ସେବାୟତଙ୍କ ଏଭଳି ମନମୁଖୀ କାର୍ଯ୍ୟ ଦେଖିବାକୁ ମିଳିଛି । ମହାଶିବରାତ୍ରିରେ ମଧ୍ୟ ଅନୁରୂପ ପରିସ୍ଥିତି ଉତ୍ପନ୍ନ ହୋଇଥିଲା ।