ପୁରୀ: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ମକରରେ ପୁରୀ ଶ୍ରୀମନ୍ଦିରରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିଥିବାରୁ ଶ୍ରୀଜୀଉମାନଙ୍କର ବଡ଼ ମହାସ୍ନାନ କରାଯାଇଛି ।
ଆଜି ସକାଳେ ମହାପ୍ରଭୁଙ୍କର ଗୋପାଳ ବଲ୍ଲଭ ନୀତି ହେବାକୁ ଥିବାବେଳେ ଜଣେ ସେବାୟତ ରକ୍ତ ଛିଟା ଦେଖିଥିଲେ । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିଥିବାରୁ ମହାସ୍ନାନ କରାଯାଇଛି । ଫଳରେ ପ୍ରାୟ ଘଣ୍ଟାଏ ଧରି ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି । ସେହିପରି ମହାସ୍ନାନ ପାଇଁ ସର୍ବସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିଛି । ମହାପ୍ରଭୁଙ୍କ ମହାସ୍ନାନ ନୀତି ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।
ସେପଟେ ମକର ସଂକ୍ରାନ୍ତି ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ମହାପ୍ରଭୁ ଆଜି ମରାଚୌରାସୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମହାପ୍ରଭୁ ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ। ତେବେ ମହାସ୍ନାନ ପାଇଁ ଏହି ନୀତିରେ ସାମାନ୍ୟ ବିଳମ୍ବ ହେବାର ସମ୍ଭାବନା ରହିଛି ।