ଭୁବନେଶ୍ୱର: ଭୂମିହୀନଙ୍କ ପାଇଁ ଆସିଛି ବଡ଼ ଖବର । ଓଡ଼ିଶା ସରକାର ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ ଅନୁସାରେ ଭୂମିହୀନମାଙ୍କ ପାଇଁ ଘର ତିଆରି ପାଇଁ ସରକାର ୪ ଡିସିମିଲ ଜାଗା ଦେବେ । ଉତ୍ତରାଧିକାରୀ ସୂତ୍ରରେ ଯେଉଁମାନଙ୍କର ୪ ଡିସିମିଲରୁ କମ୍ ଜମି ଥିବ ସେ ଲୋକଙ୍କୁ ଭୂମିହୀନ ଭାବେ ଗ୍ରହଣ କରାଯିବ । ଆଉ ୪ ଡିସିମିଲିରୁ ଯେତେ କମ୍ ଜାଗା ଥିବ ସେତିକି ଜାଗା ସେମାନଙ୍କୁ ଦିଆଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜସ୍ୱମନ୍ତ୍ରୀଙ୍କ ସୂଚନା ମୁତାବକ, ଯେଉଁ ହିତାଧିକରୀମାନଙ୍କ ପାଖରେ କମ୍ ଜମି ଅଛି ଓ ସରକାରଙ୍କଠାରୁ ସେମାନେ ଜମି ଆଶା କରୁଛନ୍ତି । ପ୍ରଥମେ ନିଜ ନାଁରେ ଥିବା ଜମି ରାଜସ୍ଵ ବିଭାଗକୁ ହସ୍ତାନ୍ତର କରନ୍ତୁ । ଉକ୍ତ ଜମି ବଦଳରେ ନିର୍ଦ୍ଧିଷ୍ଟ ଓ ଏକ ଗ୍ରହଣୀୟ ଜାଗାରେ ଏକାଠି ୪ ଡିସିମିଲ ଜାଗା ପ୍ରଦାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ବସୁନ୍ଧରା ଯୋଜନାରେ ପାଉଥିବା ଜମିକୁ ଆଉ ବିକ୍ରି କରିପାରିବେନି ହିତାଧିକାରୀ । ପୂର୍ବରୁ ବସୁନ୍ଧରା ଯୋଜନାର ଜମି ବିକ୍ରି କରି ହେଉଥିଲା । ସେଥିପାଇଁ ଆବଶ୍ୟକ ପଡ଼ିଲେ ହିତାଧିକାରୀମାନେ ଉକ୍ତ ଜମିକୁ ବିକ୍ରି କରି ପୁଣି ଭୂମିହୀନ ହୋଇ ସରକାରଙ୍କ ଠାରୁ ଜମି ଆଶାୟୀ ରହିବେ । କିନ୍ତୁ ଏବେ ଏହା ଆଉ ବିକ୍ରି କରିହେବନି । କେବଳ ତାହା ଉତ୍ତରାଧିକାରୀଙ୍କ ଖାତାରେ ଚଢ଼ିବ ବୋଲି କହିଛନ୍ତି ମନ୍ତ୍ରୀ ।