ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି କାଳବୈଶାଖୀ। ଏଥିପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏନେଇ ରବିବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କାଳବୈଶାଖୀର ସମୀକ୍ଷା କରିଛନ୍ତି ।
ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, କାଳବୈଶାଖୀ କ୍ଷତି ରିପୋର୍ଟ ମିଳିଛି, ଲୋକଙ୍କୁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଟଙ୍କା ମିଳିବ। ରବିବାର ଅନଲାଇନ୍ ରେ ଟଙ୍କା ମିଳିବ ବୋଲି କହିଛନ୍ତି ସୁରେଶ ପୂଜାରୀ। ଯେଉଁମାନଙ୍କର ଆଧାର ଲିଙ୍କ ନାହିଁ, ତାଙ୍କୁ ସିଧାସଳଖ ଟଙ୍କା ମିଳିବ।
କୁଆପଥରଝଡ଼ ଯୋଗୁଁ ମୟୂରଭଞ୍ଜ ଜିଲାରେ ୧୭ଟି ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ ହୋଇଛି । ପ୍ରାଥମିକ ଆକଳନ ଅନୁସାରେ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ଗ୍ରାମପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ ୩୫୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥବା ବେଳେ ୧୧ଟି କଚ୍ଚା ଘର ଗୁରୁତର କ୍ଷତିଗ୍ରସ୍ତ ହୋଇଛି ଏବଂ ୨୯୫ ଟି କଚ୍ଚା ଘର ଆଂଶିକ ଭାବେ ନଷ୍ଟ ହୋଇଥିବା ବେଳେ ୪ଗୋଟି ଗାଈ ଗୁହାଳ ଘର ନଷ୍ଟ ହୋଇଛି। ଏତଦ ବ୍ୟତୀତ ଏହି କୁଆ ପଥର ଝଡ଼ରେ ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ଗମନାଗମନର ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ସରବରାହ ବ୍ୟାଘାତ ଘଟିଛି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ମୟୂରଭଞ୍ଜର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଅଧିକ ପଢନ୍ତୁ: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି
ପ୍ରଭାବିତଙ୍କୁ ସହାୟତା କରିବା ପାଇଁ ସରକାର ରିଲିଫ୍ କେନ୍ଦ୍ର ଖୋଲିଛନ୍ତି । ସେମାନେ ଲୋକମାନଙ୍କୁ ଏହି ନିରାପଦ ସ୍ଥାନଗୁଡ଼ିକୁ ସ୍ଥାନାନ୍ତର କରିଛନ୍ତି । ଘର ହରାଇଥିବା ଲୋକଙ୍କୁ ପ୍ରଶାସନ ତରଫରୁ ୧୨୭ଟି ପଲିଥିନ୍ ରୋଲ୍ ପ୍ରଦାନ କରାଯାଇଛି । ଆହତମାନଙ୍କୁ ଶୀଘ୍ର ଚିକିତ୍ସା କରିବା ପାଇଁ ୫ଟି ଡାକ୍ତରୀ ଦଳ ଏବେ କାମ କରୁଛନ୍ତି ।