ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ ରତ୍ନ ଅଳଙ୍କାର ଗଣତିମଣତି ନେଇ ଛତିଶା ନିଯୋଗ ସହ ଆଲୋଚନା ହୋଇଛି । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତିମଣତି ପାଇଁ ଯୋଜନା କରାଯାଉଛି । ଏଥିପାଇଁ ପରିଚାଳନା କମିଟି ଓ ମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି ।ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ ଏବଂ ସମସ୍ତ ଦିଗକୁ ବିଚାରକୁ ନେଇ ତାରିଖ ଘୋଷଣା କରାଯିବ ।
ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏସଓପି ଉପରେ ଆଲୋଚନା ହୋଇଥିଲା । ମୋଟ ୧୪ ପୃଷ୍ଠାର ଏସଓପି ପ୍ରସ୍ତୁତ କରାଯାଇଛି । ରତ୍ନ ଭଣ୍ଡାର ଗଣତି ନେଇ ଦୁଇଟି ଟିମ୍ ନିୟୋଜିତ କରାଯିବ । ଏହା ସହିତ ରତ୍ନ ଅଳଙ୍କାର ଗଣତିର ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି କରାଯିବ । ଖୁବଶୀଘ୍ର ପରିଚାଳନା କମିଟି ତିଥିବାର ଦେଖି ତାରିଖ ନିର୍ଦ୍ଧାରଣ କରିବେ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।