ବାଲେଶ୍ୱର: ବାଲେଶ୍ୱର ସହରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଫାଣ୍ଡି ଛକ ନିକଟରେ ଥିବା ଏକ କଦଳୀ ଗୋଦାମରେ ନିଆଁ ଲାଗିଯିବା ଫଳରେ ୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ସହଦେବଖୁଣ୍ଟା ଫାଣ୍ଡି ଛକ ନିକଟସ୍ଥ ମହେନ୍ଦ୍ର ପରିଡାଙ୍କ କଦଳୀ ଗୋଦାମରେ ହଠାତ୍ ଅକସ୍ମାତ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁର ପ୍ରକୋପ ଏତେ ବଢ଼ିଯାଇଥିଲା ଯେ ଗୋଦାମ ଭିତରେ ଥିବା ପ୍ରଚୁର ପରିମାଣର କଦଳୀ କାନ୍ଧି, ନଡ଼ିଆ ସହିତ ଇନଭେଟର ଏବଂ ସିସିଟିଭି କ୍ୟାମେରା ଭଳି ଦାମୀ ସାମଗ୍ରୀ ସମ୍ପୂର୍ଣ୍ଣ ଜଳି ଯାଇଛି।
ନିଆଁ ଲାଗିବା ଖବର ପାଇ ବାଲେଶ୍ୱର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା, ଯାହାଫଳରେ ନିକଟସ୍ଥ ଅନ୍ୟ ଦୋକାନଗୁଡ଼ିକୁ ନିଆଁ ବ୍ୟାପିବା ରକ୍ଷା ପାଇଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି।