ଭୁବନେଶ୍ୱର: ଗତ ବର୍ଷ ମଧ୍ୟରେ ରାଜ୍ୟରେ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ରାଜ୍ୟ ସରକାର ପକ୍କା ଘର ବଣ୍ଟନ କରିଛନ୍ତି । ସେହିପର ୩୦୦ରୁ ଉର୍ଦ୍ଧ୍ୱ ଭୂମିହୀନ ପରିବାରକୁ ଜମି ପ୍ରଦାନ କରାଯାଇଛି । ମଙ୍ଗଳବାର ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ।
ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଆଧାରରେ ରାଜ୍ୟରେ ଆର୍ଥିକ ବର୍ଷ ୨୦୨୪-୨୫ରୁ ଅଦ୍ୟାବଧି ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୨ ଲକ୍ଷ ୮୧ ହଜାର ୭୦୩ ଗୋଟି ପରିବାରଙ୍କୁ ପକ୍କା ଘର ମଞ୍ଜୁର କରାଯାଇଛି ଏବଂ ଏହି ସମୟ ମଧ୍ୟରେ ଗୃହ ନିର୍ମାଣ ନିମନ୍ତେ ୩୦୬ ଗୋଟି ଭୂମିହୀନ ପରିବାରଙ୍କୁ ଜମି ପ୍ରଦାନ କରାଯାଇଛି । ରାଜ୍ୟରେ ଅନ୍ତୋଦୟ ଗୃହ ଯୋଜନାରେ ଅଦ୍ୟାବଧି ୧ ଲକ୍ଷ ୫୮ ହଜାର ୬୦୦ ଗୋଟି ପରିବାରଙ୍କୁ ଗୃହ ମଞ୍ଜୁର କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଅଦ୍ୟାବଧି ସମୁଦାୟ ୨୮ ଲକ୍ଷ ୭ ହଜାର ୨୭୧ ଗୋଟି ପରିବାରଙ୍କୁ ଗୃହ ମଞ୍ଜୁର କରାଯାଇଛି । ସେହିପରି ଯୋଜନା ଅଧୀନରେ ହୋଇଥିବା ଆୱାସପ୍ଲସ୍-୨୦୨୪ ସର୍ଭେ ମାଧ୍ୟମରେ ପକ୍କା ଗୃହ ମଞ୍ଜୁର ନିମନ୍ତେ ୩୭ ଲକ୍ଷ ୮୯ ହଜାର ୨୩୪ ଗୋଟି ସମ୍ଭାବ୍ୟ ପରିବାରଙ୍କୁ ଚିହ୍ନଟ କରାଯାଇଛି । ଅନ୍ତୋଦୟ ଗୃହ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଯଥାକ୍ରମେ ୧,୫୨,୭୯୧ ଓ ୨୮,୦୩,୪୯୧ ଜଣ ହିତାଧିକାରୀ ପ୍ରଥମ କିସ୍ତି ପାଇଛନ୍ତି । ହିତାଧିକାରୀଙ୍କ ଦ୍ୱାରା ଗୃହ ନିର୍ମାଣ ଏକ ନିର୍ଦ୍ଦିଷ୍ଟ ନିର୍ମାଣ ସ୍ତରରେ ପହଞ୍ଚିବା ପରେ ଦ୍ଵିତୀୟ କିସ୍ତି ପ୍ରଦାନ କରାଯାଏ ।