ଭୁବନେଶ୍ୱର: ସରିଲା ବିଧାନସଭାର ବଜେଟ୍ ଅଧିବେଶନ ୨୦୨୬-୨୭ର ପ୍ରଥମ ପର୍ଯ୍ୟାୟ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହୋଇଛି। ଗୃହକୁ ଆସନ୍ତା ମାର୍ଚ୍ଚ ୯ ତାରିଖ ସକାଳ ସାଢ଼େ ୧୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ମାର୍ଚ୍ଚ ୯ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଅନୁଷ୍ଠିତ ହେବ।
ଚଳିତ ଅଧିବେଶନରେ ଚାଷୀ ପ୍ରସଙ୍ଗ ଉଠାଇ ଗୃହରେ ବିରୋଧୀମାନେ ସରକାରଙ୍କୁ ସମାଲୋଚନା କରୁଥିବାବେଳେ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, "୨୪ ବର୍ଷ ସରକାରରେ ଥିବା ଦଳ ଏବେ ବିରୋଧୀ ଦଳ ହୋଇଛନ୍ତି ତେବେ ଆସନ୍ତା ୨୪ ବର୍ଷ ପର୍ଯ୍ୟନ୍ତ ସେମାନେ ଆଉ ଶାସନକୁ ଫେରିବେ ନାହିଁ। ବିରୋଧୀଦଳ ଚାଷୀଙ୍କ ନାଁରେ ହୀନ ରାଜନୀତି କରି ଗୃହକୁ ଅଚଳ କରୁଛନ୍ତି। ବିରୋଧୀଦଳର ଭୂମିକା ନିର୍ବାହ ନ କରି କେବଳ ହୋ ହଲ୍ଲା କରୁଛନ୍ତି। ଲୋକଙ୍କ ସମସ୍ୟା ଗୃହରେ ଉପସ୍ଥାପନ ନ କରି କେବଳ ନାଟକ କରୁଛନ୍ତି। ଆଜି ବିରୋଧୀ ଯେଉଁ ଆନ୍ଦୋଳନ କଲେ, ସେଥିରେ ଚାଷୀ ନଥିଲେ"।
ସେ ଆହୁରି ମଧ୍ୟ କହିଛନ୍ତି, "ବିଜେଡି କହୁଥିଲା ଲକ୍ଷାଧିକ ଚାଷୀଙ୍କୁ ନେଇ ବିଧାନସଭା ଘେରାଉ କରିବୁ। କିନ୍ତୁ ଆଜି କେତେ ଲୋକ ଆସିଥିଲେ, ସେଠି ଚାଷୀ ଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ମୋହନ। ଏଥିସହ ସେ କହିଛନ୍ତି, ବିରୋଧୀ କେବଳ ରାଜନୈତିକ ଫାଇଦା ହାସଲ ପାଇଁ ଉଦ୍ୟମ କରୁଛନ୍ତି। ଲୋକମାନେ କଂଗ୍ରେସକୁ ବିଦା କରିଥିଲେ ଏବେ ବିଜେଡିକୁ ବି ହଟେଇ ଦେଇଛନ୍ତି। ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିଲେ, ଏବେ ଯାଇଛନ୍ତି, ଆସନ୍ତା ୨୪ ବର୍ଷ ଯାଏ ଫେରିବେନି" ବୋଲି କହି କଡ଼ା କାଉଣ୍ଟର କରିଛନ୍ତି ମୁଖ୍ୟମନ୍ତ୍ରୀ।
ଅଧିକ ପଢନ୍ତୁ: 'ଗୃହକୁ ଖୋଲା ବିତର୍କ ପାଇଁ ଆସନ୍ତୁ ନବୀନ'; ବିରୋଧୀଦଳ ନେତାଙ୍କୁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଆହ୍ୱାନ