ବାରିପଦା: ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଏଣିକି ଭୁବନେଶ୍ୱରକୁ ଯିବାକୁ ଆଉ ଅଧିକ ସମୟ ଲାଗିବ ନାହିଁ । ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱରରୁ ବାରିପଦାକୁ ଆରମ୍ଭ ହେବାକୁ ଯାଉଛି ‘ହେଲି-ଟ୍ୟାକ୍ସି’ ସେବା । ଏହି ପରିପ୍ରେକ୍ଷୀରେ ବାରିପଦା ପୋଲିସ ଗ୍ରାଉଣ୍ଡ ସ୍ଥିତ ହେଲିପ୍ୟାଡ୍ ଠାରେ ଏୟାର୍ ଆମ୍ବୁଲାନ୍ସ ପବନ ହଂସର ସଫଳ ପରୀକ୍ଷାମୂଳକ ଅବତରଣ ବା ‘ଟ୍ରାୟଲ୍ ଲ୍ୟାଣ୍ଡିଂ’ କରାଯାଇଛି ।
ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ପିଏଚ୍ଏଲ୍ କମ୍ପାନୀର ପବନହଂସ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ପରେ ପରୀକ୍ଷା ମୂଳକ ଉଡ଼ାଣ କରାଯାଇଛି । ପବନହଂସର (‘Bell 206 VT-PHE’ ) ନାମକ ଏକ ସିଙ୍ଗଲ୍ ଇଞ୍ଜିନ ବିଶିଷ୍ଟ ହେଲିକପ୍ଟର ଏହି ସେବା ପାଇଁ ବ୍ୟବହାର କରାଯିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସଫଳ ଟ୍ରାୟଲ୍ ଲ୍ୟାଣ୍ଡିଂ ସମୟରେ ଜିଲ୍ଲା ପ୍ରଶାସନ , ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ପ୍ରଶାସନ ସହ ଅଗ୍ନିଶମ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ହେଲିକପ୍ଟରଟି ହେଲିପ୍ୟାଡରେ ଏଭିଏସନ ଟର୍ବାଇନ ଫୁଏଲ୍ (ATF) ଭରିବା ସହ ଏଥିରେ ଆସିଥିବା ଅଧିକାରୀମାନେ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା ପରେ ଫେରିଯାଇଛନ୍ତି । ମାର୍ଚ୍ଚ ଦ୍ଵିତୀୟ ସପ୍ତାହ ଆଡକୁ ଏହି ସେବା ଆରମ୍ଭ ହୋଇପାରେ ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଛନ୍ତି । ଏହି ହେଲି-ଟେକ୍ସି ସେବା ଭୁବନେଶ୍ୱର ଓ ବାରିପଦା ମଧ୍ୟରେ ଯାତାୟାତ ଅତି ସହଜ ଓ କମ୍ ସମୟ ମଧ୍ୟରେ ହୋଇପାରିବ। ଏହା ଜିଲ୍ଲାର ପର୍ଯ୍ୟଟନ ଓ ଜରୁରୀକାଳୀନ ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହିମାଂଶୁ ମହାନ୍ତି ପ୍ରକାଶ କହିଛନ୍ତି ।
ବାଙ୍ଗିରିପୋଷି ବିଧାୟିକ ସଞ୍ଜଳୀ ମୁର୍ମୁଙ୍କ ପ୍ରସ୍ତାବ କ୍ରମେ ଶିମିଳିପାଳ ନିକଟରେ ହେଲିପ୍ୟାଡ୍ ନିର୍ମାଣ ନିମିତ୍ତ ଆବଶକୀୟ ଜମି ନିରୂପଣ ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ।