ଭୁବନେଶ୍ୱର: ଓଡ଼ିଶାରେ ଆଗୁଆ ପଞ୍ଚାୟତ ନିର୍ବାଚନ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ରାଜ୍ୟ ସରକାର ମଙ୍ଗଳବାର ଦିନ ଏନେଇ ସ୍ପଷ୍ଟ କରିଛନ୍ତି। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବିଧାନସଭାରେ ସୂଚନା ପ୍ରଦାନ କରି ସ୍ପଷ୍ଟ କରିଛନ୍ତି ଯେ, ଫେବୃଆରୀ ୨୦୨୭ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ସମୟ ପୂର୍ବରୁ ନିର୍ବାଚନ କରିବା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ସେ କହିଛନ୍ତି।
ବିଧାନସଭାରେ ଲିଖିତ ଉତ୍ତର ରଖି ମନ୍ତ୍ରୀ ରବି ନାୟକ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ହେବା ପୂର୍ବରୁ ପଞ୍ଚାୟତ କି ବ୍ଲକ ପୁନର୍ଗଠନ ହେବ ନାହିଁ। ନୂତନ ସୀମା ନିର୍ଦ୍ଧାରଣ ନକରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସାମ୍ବିଧାନିକ କଟକଣା ଏବଂ ସଦ୍ୟତମ ଜନସଂଖ୍ୟା ତଥ୍ୟର ଅଭାବ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି।
ତେବେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ। ଗତ ମାସରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚାଇ ଦେଇଥିଲେ ଯେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନଗଣନାର ଦୁଇରୁ ତିନି ମାସ ପୂର୍ବରୁ ହୋଇପାରେ। ଦଳୀୟ ପଦାଧିକାରୀ ଏବଂ ନିର୍ବାଚିତ ସ୍ଥାନୀୟ ପ୍ରତିନିଧିମାନଙ୍କ ସହିତ କଥା ହୋଇ ସାମଲ କହିଥିଲେ ଯେ ପଞ୍ଚାୟତ ନିର୍ବାଚନ ଆସନ୍ତା ଛଅ ମାସ ମଧ୍ୟରେ ଘୋଷଣା ହେବାର ସମ୍ଭାବନା ଅଛି। ତେବେ ଗୃହରେ ମନ୍ତ୍ରୀଙ୍କ ଉତ୍ତର ପରେ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛି।
ଅଧିକ ପଢନ୍ତୁ: 'ଗୃହକୁ ଖୋଲା ବିତର୍କ ପାଇଁ ଆସନ୍ତୁ ନବୀନ'; ବିରୋଧୀଦଳ ନେତାଙ୍କୁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଆହ୍ୱାନ