ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଦିନରେ ଖରା ଓ ସାମାନ୍ୟ ଗୁଳୁଗୁଳି ପରେ ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଛି। ଟୁଇନ ସିଟିରେ ଅଚାନକ ପାଗ ପରିବର୍ତ୍ତନ ସହିତ ଝଡ଼ ତୁଫାନ ଓ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଓ ପବନ ଯୋଗୁ ଆଇଗଣିଆ ସ୍ଥିତ ଏକ ଛକରେ ହୋଡିଂ ଭୁଶୁଡି ପଡିଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଏକାଧିକ ଦୋକାନ ଘର ମଧ୍ୟ ଭାଙ୍ଗିଯାଇଛି।
ସହରର ବିଭିନ୍ନ ଅଞ୍ଚଳରେ ଜୋରଦାର ପବନ ବହିବା ସହିତ ଗଛ, ବିଦ୍ୟୁତ ଖୁଣ୍ଟ ଓ କିଛି ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ରାସ୍ତାରେ ପାଣି ଜମି ରହି ଯାତାୟତରେ ବାଧା ଦେଖିବାକୁ ମିଳିଛି।
ସେହିପରି କଟକ ଜିଲ୍ଲା ବଡମ୍ବା ବ୍ଲକ୍ ଯୋଡୁମୁରେ ମଧ୍ୟ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଆଜି ବଡ଼ମ୍ବାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏଥିଯୋଗୁ ଯାତ୍ରା ପାର୍ଟି ମୁକ୍ତି ମଣ୍ଡପ ଯାତ୍ରାର ଟେଣ୍ଟ ଭାଙ୍ଗି ଯାଇଛି। ଟେଣ୍ଟ ପ୍ରସ୍ତୁତି କରୁଥିବା ଜଣଙ୍କର ମୁଣ୍ଡରେ ସାମାନ୍ୟ କ୍ଷତି ହୋଇଛି। ଆଜିଠାରୁ ୩ ଦିନ ନାଟକ ପରିବେଷଣ ହେବାକୁ ଥିବା ବେଳେ କାଳବୈଶାଖୀ ଦାଉ ସାଧିଛି।
ଅଧିକ ପଢନ୍ତୁ: ବର୍ଷାରେ ଭିଜିଲା ଟ୍ୱିନ୍ ସିଟି; ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର