ବ୍ରହ୍ମପୁର: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ଚାର୍ଜଫ୍ରେମ୍ ହୋଇପାରିଲା ନାହିଁ । ତିନି ଜଣ ଅଭିଯୁକ୍ତଙ୍କ ଅନୁପସ୍ଥିତି ଯୋଗୁଁ ଚାର୍ଜଫ୍ରେମ୍ ହୋଇନାହିଁ । ସେହିପରି ଜାମିନ ଆବେଦନର ମଧ୍ୟ ଶୁଣାଣି ହୋଇ ପାରିନାହିଁ ।
ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଶୁଣାଣି ୧୩ ଜଣ ଅଭିଯୁକ୍ତ ହାଜର ହୋଇଥିଲେ । ଅସୁସ୍ଥତା ଯୋଗୁଁ ୩ ଜଣ ଅଭିଯୁକ୍ତ ବିକ୍ରମ ପଣ୍ଡା, ମଦନ ଦଳେଇ ଏବଂ ମଳୟ ବିଷୋୟୀ ଅନୁପସ୍ଥିତ ରହିଥିଲେ । ସମସ୍ତ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । କୋର୍ଟ ପ୍ରତିପକ୍ଷଙ୍କୁ କପି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଓକିଲ କପି ଦାଖଲ କରିପାରି ନ ଥିଲେ । ତେଣୁ ଆସନ୍ତା ୫ ତାରିଖରେ ପୁଣି ଥରେ କପି ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୯ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ସରକାରୀ ଓକିଲ କାଳୀ ଚରଣ ମିଶ୍ର କହିଛନ୍ତି ।
ସେହିପରି ସମାନ କାରଣ ଯୋଗୁଁ ପାଞ୍ଚ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ହୋଇପାରିନାହିଁ । ବିପିନ ସ୍ୱାଇଁ, ସୀମାଞ୍ଚଳ ନାଇକ, କୁନ୍ଦନ କୁମାର ଓ ଶିଶୁପାଳ କୁମାର ପାସୱାନ ୫ ଜଣଙ୍କ ଜାମିନ ଆବେଦନ ଉପରେ ମଧ୍ୟ ଆଜି ଶୁଣାଣି ହେବାର ଥିଲା । ଡକ୍ୟୁମେଣ୍ଟ ଦାଖଲ ହୋଇ ନଥିବାରୁ ଜାମିନ ଆବେଦନ ଶୁଣାଣିକୁ କୋର୍ଟ ସ୍ଥଗିତ ରଖିଛନ୍ତି ।