ଭୁୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର କାଳବୈଶାଖୀର ଭୀଷଣ ତାଣ୍ଡବ ଦେଖିବାକୁ ମିଳିଛି । ଝଡବର୍ଷାରେ ହୋର୍ଡିଂ ଖସିବାରୁ ଦୁଇ ଜଣଙ୍କ ଅକାଳ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜ ଜଣଙ୍କ ପ୍ରାଣହାନୀ ଘଟିଛି । ଆଉ ଜଣେ ଆହତଙ୍କ ଚିକିତ୍ସା ଜାରି ରହିଛି ।
ସୂଚନା ଅନୁଯାୟୀ, କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ ବର୍ଷାରେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଛି । ସହରର ବିଭିନ୍ନ ଅଞ୍ଚଳରେ ଜୋରଦାର ପବନ ବହିବା ସହିତ ଗଛ, ବିଦ୍ୟୁତ ଖୁଣ୍ଟ ଓ କିଛି ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ରାସ୍ତାରେ ପାଣି ଜମି ରହି ଯାତାୟତରେ ବାଧା ଦେଖିବାକୁ ମିଳିଛି।
ଏହି ସମୟରେ ମଙ୍ଗଳବାର ଅପରାହ୍ଣରେ କାଳବୈଶାଖୀ ବର୍ଷା ଯୋଗୁଁ ଭୁବନେଶ୍ୱର ଆଇଗିଣିଆ ଦୁର୍ଗାମଣ୍ଡପ ନିକଟରେ ଥିବା ହୋର୍ଡିଂ ସେଠାରେ ଥିବା ଏକ କ୍ୟାବିନ ଓ ଲୋକଙ୍କ ଉପରେ ପଡିଥିଲା । ଏଥିରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ହେଲେ ଗଞ୍ଜାମ ଜିଲ୍ଲାର ସୁରେନ୍ଦ୍ର ଗୌଡ । ସେ ରାଜଧାନୀର ଡୁମଡୁମା ଅଞ୍ଚଳରେ ରହୁଥିଲେ । ସେ କଲେଜ ଛାତ୍ର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।
ସେହିଭଳି ଅନ୍ୟ ଜଣେ ଯୁବକ ଓ ଯୁବତୀ ଆହତ ହୋଇଛନ୍ତି । ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ରଡ କଟର ସହାୟତାରେ ହୋର୍ଡିଂ କାଟି ଦୁଇ ଆହତଙ୍କୁ ଉଦ୍ଧାର କରିଥିଲେ । ଦୁଇ ଆହତଙ୍କୁ କ୍ୟାବିନ ତଳୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏଥିସହ ମୃତ୍ୟୁ ସଂଖ୍ୟା ଦୁଇକୁ ବୃଦ୍ଧି ଘଟିଛି ।