ରାଜଧାନୀ ଭୁବନେଶ୍ୱରର ଆଇଗିଣିଆରେ ହୋର୍ଡିଂ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାର ଏବଂ ଆହତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।। ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏସଆରସିଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ସୂଚନ ମିଳିଛି।
ଗତକାଲି ଅପରାହ୍ନରେ ରାଜଧାନୀରେ କାଳବୈଶାଖୀର ଭୀଷଣ ତାଣ୍ଡବ ଦେଖିବାକୁ ମିଳିଛି। ଝଡବର୍ଷାରେ ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ପାଖରେ ଥିବା ହୋର୍ଡିଂ ପବନରେ ଖସି ପଡ଼ିଥିଲା। ତଳେ ଥିବା ଦୋକାନରେ ଠିଆ ହୋଇଥିବା ଲୋକଙ୍କ ଉପରେ ଖସି ପଡ଼ିବାରୁ ଦୁଇ ଜଣଙ୍କ ଅକାଳ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜ ଜଣଙ୍କ ପ୍ରାଣହାନୀ ଘଟିଛି। ଆଉ ଜଣେ ଆହତଙ୍କ ଚିକିତ୍ସା ଜାରି ରହିଛି।
ସେପଟେ ହୋର୍ଡିଂ ପଡ଼ି ମୃତ୍ୟୁ ହେବା ଘଟଣାକୁ ନେଇ ଆଜି ନ୍ୟାୟ ଦାବିରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ି ଅଟକି ରହିଥିଲା। ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି।
ଅଧିକ ପଢନ୍ତୁ: ରାଜଧାନୀରେ କାଳବୈଶାଖୀର ତାଣ୍ଡବ, ହୋର୍ଡିଂ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି