ଭୁବନେଶ୍ୱର: ସବୁକିଛି ଗିଳି ସାରିବା ପରେ ଶେଷରେ ଶାନ୍ତ ପଡ଼ିଛନ୍ତି ଅଗ୍ନି ଦେବତା । ନିଆଁର ଆଁରେ ସବୁ କିଛି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଦୀର୍ଘ ୨୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ଅଗ୍ନିଶମ ବାହିନୀ ଭୁବନେଶ୍ୱର ଲିଙ୍ଗିପୁର ଛକରେ ଥିବା ସୁପରମାର୍ଟ ନିଆଁକୁ ଆୟତ୍ତ କରିଛନ୍ତି । କୋଟି କୋଟି ଟଙ୍କାର ସମ୍ପତ୍ତି ସ୍ୱାହା ହୋଇଯାଇଛି । ଲୁହ ଲୋହୁ ଏକାଠି କରି ଗଢ଼ି ତୋଳିଥିବା ସାମ୍ରାଜ୍ୟକୁ ନିଜ ଆଖି ଆଗରେ ଜଳୁଥିବା ଦେଖି ମାଲିକ କେବଳ ଆଖିରୁ ଲୁହ ଗଡ଼ାଇବା ଛଡ଼ା ଆଉ କିଛି କରିପାରିଲେ ନାହିଁ । ନିଆଁ ଆୟତ୍ତ ହୋଇଥିବାବେଳେ ତଥାପି କାନ୍ଥ ଭୁଶୁଡ଼ିବା ଆଶଙ୍କାରେ ଅଗ୍ନିଶମ ବାହିନୀ ଜଗି ରହିଛନ୍ତି ।
ସୋମବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାର୍ଶ୍ୱ ଧଉଳି ଥାନା ଅଧୀନସ୍ଥ ଶିଶୁପାଳଗଡ଼ ସୁପରମାର୍ଟରେ ନିଆଁ ଲାଗିଥିଲା । ତୁରନ୍ତ ଆରମ୍ଭ ହୋଇଥିଲା ନିଆଁ ଲିଭା କାର୍ଯ୍ୟ । ପ୍ରଥମେ ନିଆଁ ଆୟତ୍ତ ହୋଇଯିବ ବୋଲି ଅନୁମାନ କରାଯାଉଥିବାବେଳେ କିନ୍ତୁ ଅଗ୍ନି ଦେବତା ବୋଲ ମାନିନଥିଲେ । ଚାହୁଁ ଚାହୁଁ ୧୫ଟି ଦମକଳ ଗାଡ଼ି ୧୦୦ ପାଖାପାଖି ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସୋମବାର ରାତି ଯାଇ ମଙ୍ଗଳବାର ସକାଳ ହେଲା କିନ୍ତୁ ନିଆଁ ଲିଭି ନ ଥିଲା । ସୁପରମାର୍ଟରେ ପ୍ରବଳ ପରିମାଣର ପ୍ଲାଷ୍ଟିକ୍ ସାମଗ୍ରୀ ମହଜୁତ ଥିବାରୁ ମଙ୍ଗଳବାର ଦିନ ତମାମ ଜଳିଥିଲା । କାନ୍ଥା ଫଠାଇ ପାଣି ସ୍ପ୍ରେ କରାଯାଇଥିଲା । ପାଣି ସ୍ପ୍ରେ, ଫୋମ୍, ରୋବୋର୍ଟିକ୍ ଟେକ୍ନୋଲୋଜି ସବୁକିଛି ବିଫଳ ହୋଇଥିଲା । ସେପଟେ କାନ୍ଥ ଛାତ ମଧ୍ୟ ଗରମ ହୋଇ ଫାଟିବାକୁ ଆରମ୍ଭ କରିଥିଲା । ସୋମବାରରୁ ରାତିରୁ ମଙ୍ଗଳବାର ରାତି ଯାଏ ସମସ୍ତେ ସେମିତି ଉପାୟ ଶୂନ୍ୟ ହୋଇ ଅଗ୍ନିର ତାଣ୍ଡବ ରୂପ ଦେଖିଥିଲେ । ଶେଷରେ ମଙ୍ଗଳବାର ରାତି ବେଳକୁ ନିଆଁ ଆୟତ୍ତକୁ ଆସିଥିଲା ।
କିନ୍ତୁ ସେତେବେଳକୁ ଆଉ କିଛି ନଥିଲା । ଚାରି ଆଡ଼େ ଖାଲି କଳା ପାଉଁଶ ଥିଲା । ତଥାପି ବୁଧବାର ଦିନ ସୁପରମାର୍ଟରେ ଅଗ୍ନିଶମ ବାହିନୀ ଟିମ୍ ମୁତୟନ ଅଛନ୍ତି । ଗତକାଲି ରାତି ତମାମ ଫୋମ୍ ସ୍ପ୍ରେ କରାଯାଇଥିଲା । କାନ୍ଥ ଫାଟି ଥିବାରୁ କୌଣସି ବିପଦର ଆଶଙ୍କା କରି ମୁତୟନ ହୋଇଛନ୍ତି ।