ଚେନ୍ନାଇ: ଗୁରୁବାର ଟି-୨୦ ବିଶ୍ୱକପ୍ ୨୦୨୬ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଜିମ୍ବାୱେକୁ ଭେଟିବ ଭାରତ । ଏହି ମ୍ୟାଚ୍ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ସୁପର-୮ରେ ଭାରତ ପାଇଁ ପ୍ରତିଟି ମ୍ୟାଚ୍ କର ବା ମର ସ୍ଥିତି ସୃଷ୍ଟି କରିଛି । ଏହା ମଧ୍ୟରେ ପିତାଙ୍କ ଗୁୁରୁତର ସ୍ୱାସ୍ଥ୍ୟବସ୍ଥା କାରଣରୁ ଘରକୁ ଫେରି ଯାଇଛନ୍ତି ରିଙ୍କୁ ସିଂ । ସେ ଅସ୍ଥାୟୀ ଭାବେ ଦଳରୁ ଅଲଗା ହୋଇଛନ୍ତି। ତାଙ୍କ ପିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏମିତି ସ୍ଥିତିରେ ରିଙ୍କୁଙ୍କ ଜିମ୍ବାୱେ ବିପକ୍ଷ ମ୍ୟାଚ୍ ଖେଳିବାର ସମ୍ଭାବନା କ୍ଷୀଣ ଲାଗୁଛି । ଯଦି ରିଙ୍କୁ ନ ଖେଳିବେ ତେବେ ତାଙ୍କ ସ୍ଥାନରେ କାହାକୁ ମିଳିବ ସୁଯୋଗ ।
ବିକଳ ନମ୍ବର ଏକ- ଅକ୍ଷର ପଟେଲ
ଯଦି ରିଙ୍କୁ ସିଂ ଏହି ମ୍ୟାଚ୍ ନ ଖେଳନ୍ତି ତେବେ ସବୁଠୁ ମଜବୁତ ବିକଳ୍ପ ଅକ୍ଷର ପଟେଲ୍ ହୋଇ ପାରନ୍ତି । ଚେନ୍ନାଇର ପିଚ୍ ସାଧାରଣତଃ ସ୍ପିନରଙ୍କୁ ସୁହାଇଥାଏ । ଏମିତିରେ ଅକ୍ଷର ପଟେଲ ଦଳକୁ ଅତିରିକ୍ତ ସ୍ପିନ ବିକଳ୍ପ ଦେଇ ପାରିବେ । ଯଦି ଅକ୍ଷରଙ୍କୁ ସୁଯୋଗ ମିଳେ ତେବେ ଭାରତ ଚାରି ଅଲରାଉଣ୍ଡ ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦରଙ୍କ ସହ ମଇଦାନକୁ ଓହ୍ଲାଇବ । ଏଥିରେ ବ୍ୟାଟିଂରେ ଗଭୀରତା ବଢିବ ଏବଂ ବୋଲିଂ ମଧ୍ୟ ଅଧିକ ସନ୍ତୁଳିତ ରହିବ । ଦ୍ରୁତ ବୋଲର ଦାୟିତ୍ୱ ଯଶପ୍ରୀତ ବୁମରା ଓ ଅର୍ଶଦୀପ ସମ୍ଭାଳିବେ ।
ବିକଳ୍ପ ନମ୍ବର-୨- ସଞ୍ଜୁ ସାମସନ
ଦ୍ୱିତୀୟ ବିକଳ୍ପ ସଞ୍ଜୁ ସାମସନ । ସଞ୍ଜୁ ସାମସନ ଆକ୍ରମଣାତ୍ମକ ବ୍ୟାଟର ଏବଂ ଆବଶ୍ୟକ ପଡିଲେ ଇନିଂସ ଓପନ କରି ପାରନ୍ତି କିମ୍ବା ମଧ୍ୟକ୍ରମରେ ମଧ୍ୟ ଖେଳି ପାରିବେ । ଯଦି ଦଳ ପ୍ରବନ୍ଧକ ବ୍ୟାଟିଂକୁ ମଜବୁତ କରିବାକୁ ଚାହିଁବେ ତେବେ ସଞ୍ଜୁଙ୍କୁ ସୁଯୋଗ ମିଳିପାରେ । ଏଥିରେ ଭାରତ ପାଖରେ ଜଣେ ଅତିରିକ୍ତ ବ୍ୟାଟର ରହିବ ।
ମ୍ୟାଚର ମହତ୍ୱ
ଭାରତ ପାଇଁ ଏହି ମୁକାବିଲା କେବଳ ଏକ ଲିଗ୍ ମ୍ୟାଚ୍ ନୁହେଁ ବରଂ ସେମି ଫାଇନାଲର ଆଶା ସହ ଏହା ଜଡିତ । ଦଳକୁ କେବଳ ବିଜୟ ଦରକାର ନାହିଁ ବରଂ ନେଟ୍ ରନ ରେଟ୍ ପାଇଁ ବଡ ବ୍ୟବଧାନରେ ଜିତିବା ଜରୁରୀ । ଏବେ ନଜର ଦଳ ପ୍ରବନ୍ଧକଙ୍କ ଉପରେ ରହିଛି ଯେ, ଅକ୍ଷର ଏବଂ ସଞ୍ଜୁଙ୍କ ମଧ୍ୟରୁ କାହାକୁ ଚୂଡାନ୍ତ ଏକାଦଶରେ ସାମିଲ୍ କରିବେ ।
Also read: ଦିଲ୍ଲୀ କୋର୍ଟର ନିର୍ଦ୍ଦେଶ: ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଦେବେ ପୂର୍ବତନ ପତ୍ନୀ