ପାଲ୍ଲେକେଲେ: ଇଂଲଣ୍ଡ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପାକିସ୍ତାନକୁ ଦୁଇ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ଚଳିତ ଟି-୨୦ ବିଶ୍ଵକପରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ପାକିସ୍ତାନ ମୁସ୍କିଲ ଆହୁରି ବଢି ଯାଇଛି। ଇଂଲଣ୍ଡ ପାଇଁ ଅଧିନାୟକ ହ୍ୟାରି ବ୍ରୁକ୍ ବିଜୟୀ ଶତକ ହାସଲ କରି ନିଜ ଦଳକୁ ସେମିରେ ପହଞ୍ଚାଇଛନ୍ତି। ପାଲ୍ଲେକେଲେରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୬୪ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ଶେଷ ଓଭରରେ ଲକ୍ଷ୍ୟ ହାସଲ କରି ନେଇଛି। ଶାହିନ ଆଫ୍ରିଦି ମ୍ୟାଚ୍ରେ ଚାରି ୱିକେଟ୍ ନେଇଥିଲେ ହେଁ ତାଙ୍କ ପ୍ରୟାସ ବ୍ୟର୍ଥ ହୋଇଛି।
ସେମି ଫାଇନାଲ୍ରେ ଇଂଲଣ୍ଡ
୨୦୨୬ ଟି୨୦ ବିଶ୍ୱକପ୍ର ସେମିଫାଇନାଲରେ ପ୍ରବେଶ କରିଥିବା ଇଂଲଣ୍ଡ ପ୍ରଥମ ଦଳ ହୋଇଛି। ୧୬୫ ରନ୍ର ଲକ୍ଷ୍ୟ ପିଛା କରି ଇଂଲଣ୍ଡ ଇନିଂସର ପ୍ରଥମ ବଲ୍ରେ ଫିଲ୍ ସଲ୍ଟଙ୍କ ୱିକେଟ୍ ହରାଇଥିଲା। ପାୱାରପ୍ଲେ ଶେଷ ହେବା ପୂର୍ବରୁ ଜୋସ୍ ବଟଲର୍ ଏବଂ ଜାକବ୍ ବେଥେଲ୍ ମଧ୍ୟ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଟମ୍ ବାଣ୍ଟନ୍ ମଧ୍ୟ ମାତ୍ର ଦୁଇ ରନ୍ କରି ଆଉଟ୍ ହେବା ପରେ ଇଂଲଣ୍ଡର ବିଜୟ ଆଶା ମଉଳି ପଡ଼ିବା ଆରମ୍ଭ ହୋଇଥିଲା।
ଶାହିନ୍ ଆଫ୍ରିଦି ଚାରି ଓଭରରେ ମାତ୍ର ୩୦ ରନ ଦେଇ ଚାରିଟି ୱିକେଟ ନେଇଥିଲେ। ସେ ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। କିନ୍ତୁ ହ୍ୟାରି ବ୍ରୁକଙ୍କ ଶତକୀୟ ଇନିଂସ ଖେଳି ଇଂଲଣ୍ଡ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ବ୍ରୁକ୍ ଟି-୨୦ ବିଶ୍ୱକପ୍ ଇତିହାସରେ ଶତକ ହାସଲ କରିବାରେ ପ୍ରଥମ ଅଧିନାୟକ ହୋଇଛନ୍ତି। ବ୍ରୁକ୍ ୫୦ ବଲରେ ନିଜର ଶତକ ପୂରଣ କରିଥିଲେ। ଶାହିନ ଆଫ୍ରିଦି ପରବର୍ତ୍ତୀ ବଲରେ ତାଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। କିନ୍ତୁ ସେତେବେଳକୁ ବ୍ରୁକ୍ ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇ ଦେଇଥିଲେ। ଦଳର ସମସ୍ତ ଅଭିଜ୍ଞ ବ୍ୟାଟର ବିଫଳ ହୋଇଥିଲେ ବି ଅଧିନାୟକ ହ୍ୟାରି ବ୍ରୁକ୍ ଦାୟିତ୍ଵ ନିଜ ସମ୍ଭାଳିଥିଲେ। ବ୍ରୁକ ୫୧ ବଲରୁ ୧୦ ଚୌକା ଓ ୪ ଛକା ସହ ୧୦୦ ରନ କରିଥିଲେ।
ମହମ୍ମଦ ନୱାଜ୍ ୧୯ ତମ ଓଭରରେ ଦୁଇଟି ୱିକେଟ୍ ନେଇ ପୁଣି ଥରେ ଇଂଲଣ୍ଡ ପ୍ରଶଂସକଙ୍କ ସ୍ପନ୍ଦନ ବଢ଼ାଇ ଦେଇଥିଲେ। ତଥାପି, ଜୋଫ୍ରା ଆର୍ଚର ୨୦ତମ ଓଭରର ପ୍ରଥମ ବଲରେ ଚୌକା ମାରି ଇଂଲଣ୍ଡର ବିଜୟ ନିଶ୍ଚିତ କରିଥିଲେ। ଉଲ୍ଲେଖନୀୟ ଲଗାତାର ପଞ୍ଚମ ଥର ଇଂଲଣ୍ଡ ଟି-୨୦ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିଛି, ଯାହା ଏକ ବିଶ୍ଵ ରେକର୍ଡ।
ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୯ ଓ୍ଵିକେଟ୍ ହରାଇ ୧୬୪ ରନ କରିଥିଲା। ଦଳ ପକ୍ଷରୁ ଓପନର ସାହିବ ଜାଦା ଫରହାନ ୬୩ ରନ କରିଥିଲେ ହେଁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା। ମଧ୍ୟକ୍ରମରେ ବାବର ଆଜମ ୨୫ ରନ, ଫଖର ଜମାନ ୨୫ ରନ ଓ ଶାଦାବ ଖାନ ୨୩ ରନ କରିଥିଲେ। ବୋଲିଂରେ ଇଂଲଣ୍ଡ ପକ୍ଷରୁ ଲିୟାମ ଡାଓ୍ଵସନ ୨୪ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ଜେମି ଓଭରଟନ ୨୬ ରନ ଦେଇ ୨ଟି ଓ ଜୋଫ୍ରା ଆର୍ଚର ୩୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।