ଅହମ୍ମଦାବାଦ: ଟି-୨୦ ବିଶ୍ୱକପର ସୁପର-୮ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବ୍ୟାଟର ଦମଦାର ପ୍ରଦର୍ଶନ କରିଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୭ ୱିକେଟ୍ ହରାଇ ୧୮୭ ରନ କରିଛି । ଭାରତ ସମ୍ମୁଖରେ ରହିଛି ୧୮୮ ରନର ବିଜୟ ଲକ୍ଷ୍ୟ । ଡେଭିଡ ମିଲର ୬୩ ରନର ଦମଦାର ଇନିଂସ ଖେଳିଥିବା ବେଳେ ବ୍ରେଭିସ ୪୫ ରନ କରିଛନ୍ତି । ଟ୍ରିଷ୍ଟନ ଷ୍ଟବ୍ସ ୪୪ ରନର ଦ୍ରୁତ ଇନିଂସ ଖେଳିିଛନ୍ତି । ଭାରତୀୟ ଦଳ ପକ୍ଷରୁ ବୋଲିଂରେ ଯଶପ୍ରୀତ ବୁମରା ୧୫ ରନ ଦେଇ ୩ଟି ୱିକେଟ୍ ନେଇଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ନିରାଶଜନକ ଥିଲା । ଭାରତୀୟ ବୋଲର ଶାନିତ ବୋଲିଂ କରି ୨୦ ରନ ଭିତରେ ଦକ୍ଷିଣ ଆଫ୍ରିକାର ୩ ବ୍ୟାଟରଙ୍କୁ ଆଉଟ୍ କରିଥିଲେ । ଆଡନ ମାରକ୍ରମ ୪ ରନ, କ୍ୱିଣ୍ଟନ ଡିକକ୍ ୬ ରନ ଓ ରିୟାନ ରିକଲଟନ ୭ ରନ କରିଥିଲେ । ଏହା ପରେ ବ୍ରେଭିସ୍ ଓ ଡେଭିଡ ମିଲର ଭାରତୀୟ ବୋଲରଙ୍କୁ ପାଲଟା ଆକ୍ରମଣ କରିଥିଲେ । ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ଭାରତୀୟ ଖେଳାଳିଙ୍କ ଉପରେ ଚାପ ପକାଇଥିଲେ । ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୯୭ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ ।
୧୧୭ ରନ ସ୍କୋରରେ ବ୍ରେଭିସଙ୍କୁ ଆଉଟ୍ କରି ଭାରତକୁ ବଡ ସଫଳତା ଦେଇଥିଲେ ଶିବମ ଦୁବେ । ବ୍ରେଭିସ ୨୯ ବଲରୁ ୩ ଚୌକା ଓ ୩ ଛକା ସହ ୪୫ ରନ କରିଥିଲେ । ଏହା ପରେ ଡେଭିଡ୍ ମିଲର ଆଉଟ୍ ହେବା ଦକ୍ଷିଣ ଆଫ୍ରିକାର ରନ ଗତିକୁ ମନ୍ଥର କରିଥିଲା । ମିଲର ୩୫ ବଲରୁ ୭ ଚୌକା ଓ ୩ ଛକା ସହ ୬୩ ରନ କରିଥିଲେ । ଭାରତୀୟ ବୋଲର ଶାଣିତ ବୋଲିଂ କରି ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ ବଡ ସଟ୍ ଖେଳିବାକୁ ଦେଇ ନ ଥିଲେ । କିନ୍ତୁ ଟ୍ରିଷ୍ଟନ ଷ୍ଟବ୍ସ ଶେଷ ଆଡକୁ ଧୂଆଁଧାରର ବ୍ୟାଟିଂ କରିଥିଲେ । ସେ ୨୪ ବଲରୁ ୪୪ ରନ କରିବାରୁ ଦକ୍ଷିଣ ଆଫ୍ରିକା ୭ ୱିକେଟ୍ ହରାଇ ୧୮୭ ରନ କରି ପାରିଛି । ଭାରତ ସମ୍ମୁଖରେ ରହିଛି ୧୮୮ ରନର ବିଜୟ ଲକ୍ଷ୍ୟ ।