ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟି-୨୦ ମାନ୍ୟତା ଜାରି କରିଛି । ଇଶାନ ପୁଣି ଥରେ ଆଇସିସି ଟି-୨୦ ମାନ୍ୟତାରେ ବଡ ଲମ୍ଫ ମାରିଛନ୍ତି । ସେ ଅଭିଷେକ ଶର୍ମାଙ୍କ ସହ ଟପ୍-୫ରେ ଏଣ୍ଟ୍ରି କରିଛନ୍ତି । ଟି-୨୦ ବିଶ୍ୱକପରେ ଦମଦାର ଫର୍ମରେ ଥିବା ପାକିସ୍ତାନର ଓପନର ସାହିବଜାଦା ଫରହାନଙ୍କୁ ମଧ୍ୟ ବେଶ ଫାଇଦା ମିଳିଛି । ଚଳିତ ବିଶ୍ୱକପରେ ୨୮୩ ରନ କରିଥିବା ଫରହାନ ଦୁଇଟି ସ୍ଥାନ ଉପରକୁ ଉଠି ତୃତୀୟରେ ପହଞ୍ଚିଛନ୍ତି । ସେ ଧିରେ ଧିରେ ଶୀର୍ଷରେ ଥିବା ଅଭିଷେକ ଶର୍ମାଙ୍କ ପାଇଁ ବିପଦ ପାଲଟି ଚାଲିଛନ୍ତି ।
ଚଳିତ ଟି-୨୦ ବିଶ୍ୱକପରେ ଅଭିଷେକ ଶର୍ମା ଅତି ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଏହାର ପ୍ରଭାବ ତାଙ୍କର ଟି-୨୦ ରାଙ୍ଗିଙ୍ଗରେ ସ୍ପଷ୍ଟ ଦେଖିବାକୁ ମିଳିଛି । ସେ ଏକ ନମ୍ବର ସ୍ଥାନରେ ଥିଲେ ମଧ୍ୟ ତାଙ୍କର ରେଟିଂ ୮୯୧ରୁ ଖସି ୮୭୭ରେ ପହଞ୍ଚିଛି । ଇଂଲଣ୍ଡର ଓପନିଂ ବ୍ୟାଟର ଫିଲ ସଲ୍ଟ ୮୧୫ ରେଟିଂ ସହ ଦ୍ୱିତୀୟ ଏବଂ ସାହିବଜାଦା ଫରହାନ ୮୧୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଇଶାନ କିଶନ ୭୪୨ ରେଟିଂ ସହିତ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି ।
ଟପ୍-୧୦ରେ ଦକ୍ଷିଣ ଆଫ୍ରିକାର ଡେୱାଲ୍ଡ ବ୍ରେଭିସଙ୍କ ଧମାକାଦାର ଏଣ୍ଟ୍ରି ହୋଇଛି । ସେ ୧୦ଟି ସ୍ଥାନ ଉପରକୁ ଉଠି ସିଧା ନବମରେ ପହଞ୍ଚିଛନ୍ତି । ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଶତକ ମାରିଥିବା ହ୍ୟାରି ବ୍ରୁକ ମଧ୍ୟ ୧୦ଟି ସ୍ଥାନ ଉନ୍ନତି ଘଟାଇ ୧୮ମ ସ୍ଥାନରେ ପହଞ୍ଚିଛନ୍ତି ।
ଆଇସିସି ଟି-୨୦ ବୋଲିଂ ମାନ୍ୟତାରେ ଭାରତର ବରୁଣ ଚକ୍ରବର୍ତ୍ତୀ ପୂର୍ବବତ୍ତ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅନ୍ୟଟେ ଦକ୍ଷିଣ ଆଫ୍ରିକାର କାର୍ବିନ ବୋଶ ୨୧ଟି ସ୍ଥାନ ଲମ୍ଫ ମାରି ତୃତୀୟରେ ପହଞ୍ଚିଛନ୍ତି । ତାଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜର ମାଥ୍ୟୁ ଫୋର୍ଡ ମଧ୍ୟ ୨୩ଟି ସ୍ଥାନ ଉନ୍ନତି ଘଟାଇ ସପ୍ତମରେ ପହଞ୍ଚିଛନ୍ତି ।
ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମରା ଦକ୍ଷିଣ ଆଫ୍ରିକା ବିପକ୍ଷରେ କମାଲ୍ ବୋଲିଂ କରିଥିଲେ । ଏହାର ଫାଇଦା ତାଙ୍କୁ ଟି-୨୦ ମାନ୍ୟତାରେ ମିଳିଛି । ସେ ଟପ୍-୧୦ରେ ପ୍ରବେଶ କରିଛନ୍ତି । ସେ ବର୍ତ୍ତମାନ ଅଷ୍ଟମ ସ୍ଥାନରେ ରହିଛନ୍ତି ।