ଭୁବନେଶ୍ୱର: ଚାକିରୀରୁ ଅବସର ଏବଂ ପ୍ରତ୍ୟକ ରାଜନୀତିରେ ନ ଥିବା କହିଥିବା ଭିକେ ପାଣ୍ଡିଆନଙ୍କ ନେଇ ଚର୍ଚ୍ଚା ଥମୁ ନାହିଁ । କିଛି ଦିନର ବ୍ୟବଧାନ ପରେ ପାଣ୍ଡିଆନ ପୁଣି ଥରେ ବିଜେଡ଼ିରେ ନିଜର ଦବାଦବା ଜାହିର କରିଛନ୍ତି । ଏପରିକି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାବେଳେ କାହାକୁ ହସ୍ପିଟାଲରେ ଭେଟିବାକୁ ନ ଦେବା ନେଇ ଦଳରେ ଗୁଞ୍ଜରଣ ସୃଷ୍ଟି କରିଛି । ଆଉ ଏହି ପରିପ୍ରେକ୍ଷୀରେ ପାଣ୍ଡିଆନଙ୍କୁ ଏକ ସଭାରେ କଟାକ୍ଷ କରିଛନ୍ତି ଦଳର ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ୍ ରାଜା ସ୍ୱାଇଁ ।
ନିକଟରେ ନବୀନ ଅସୁସ୍ଥ ହୋଇ ଚିକିତ୍ସା ହୋଇଥିବାବେଳେ ଦଳୀୟ ନେତାଙ୍କୁ ଅବଗତ କରାଯାଇନଥିଲା କିମ୍ବା କାହାକୁ ଭେଟିବାକୁ ଦେଇନଥିଲେ ପାଣ୍ଡିଆନ ଦମ୍ପତ୍ତି । ଏହା ପରେ ପାଣ୍ଡିଆନ ବାହାରକୁ ଆସି ଉଚ୍ଚ ସ୍ୱରରେ କହିଥିଲେ “ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍” ଅର୍ଥାତ୍ ମୁଁ ଏବେ ଟିକେ ନରମି ଯାଇଛି କିନ୍ତୁ ବାହାରି ଯାଇ ନାହିଁ । ଯାହାକୁ ନେଇ ଗତକାଲି ଆଠଗଡ଼ରେ ଆୟୋଜିତ ଏକ ସଭାରେ ରାଜା ସ୍ୱାଇଁ ପାଣ୍ଡିଆନଙ୍କୁ ତେରଚ୍ଛା ବାଣ ମାରିଥିଲେ । ନାଁ ନ ନେଇ ସେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ । ପାଣ୍ଡିଆନଙ୍କ ଉପରୋକ୍ତ ଉକ୍ତିକୁ ଦୋହରାଇ ଥିଲେ । ଖାଲି ବିଧାୟକ ହୋଇ ଭୋଟ୍ ମାଗିଲେ ହେବ ନାହିଁ ବିରୋଧ କରିବାକୁ ପଡ଼ିବ ବୋଲି କହିଥିଲେ ରାଜା ।
ରାଜା ସ୍ୱାଇଁଙ୍କ ପୂର୍ବରୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ଅସନ୍ତୋଷ ଜାହିର କରିଥିଲେ । ଏକ ଖବର କାଗଜ ସଂସ୍ଥାକୁ ସାକ୍ଷାତକାରରେ ପାଣ୍ଡିଆନ ଦମ୍ପତ୍ତିଙ୍କୁ ସମାଲୋଚନା କରିଥିଲେ । କାହିଁକି ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ସୂଚନା ଦିଆଯାଇନଥିଲା ବୋଲି ପ୍ରଶ୍ନ ଉଠାଇଥିଲେ ।