ଆଜି ପବିତ୍ର ଅଁଳା ନବମୀ । ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ । ଆଜିର ଦିନରେ ଶ୍ରଦ୍ଧାଳୁମାନେ ରାଧାଙ୍କ ପାଦ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ଵ ରହିଛି । ବିଶ୍ୱାସ କରାଯାଏ ଯେ ଏହି ଦିନ ଦାନ କରିବା ଦ୍ୱାରା ଜଣେ ବ୍ୟକ୍ତି ବର୍ତ୍ତମାନ ତଥା ପରବର୍ତ୍ତୀ ଜୀବନରେ ସୁଖ ପ୍ରାପ୍ତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ । କୁହାଯାଏ ଯେ ଏହା କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କର ସମସ୍ତ ପାପ ନଷ୍ଟ ହୋଇଯାଏ ଏବଂ ସୁଖ,ସମୃଦ୍ଧି ପ୍ରାପ୍ତ ହୁଏ ।
ପୌରାଣିକ କଥା ଅନୁସାରେ ଥରେ ମା’ ଲକ୍ଷ୍ମୀ ପୃଥିବୀକୁ ଭ୍ରମଣ କରିବାକୁ ଆସିଥିଲେ। ପୃଥିବୀକୁ ଆସିବା ପରେ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କ ପୂଜା ଏକା ସାଙ୍ଗରେ କରିବାକୁ ଇଚ୍ଛା କଲେ। ସେତେବେଳେ ତାଙ୍କୁ ସ୍ମରଣ ହେଲା ଯେ ତୁଳସୀ ବିଷ୍ଣୁଙ୍କର ପ୍ରିୟ କିନ୍ତୁ ଶିବଙ୍କର ନୁହେଁ। ଶିବଙ୍କ ପୂଜାରେ ତୁଳସୀ ଲାଗେନାହିଁ। କିନ୍ତୁ ଶିବଙ୍କ ସ୍ଵରୂପ ବେଲର ଗୁଣ ଅଁଳା ବୃକ୍ଷରେ ରହିଛି।
ସେଥିପାଇଁ ଅଁଳା ଗଛରେ ଉଭୟ ତୁଳସୀ ଓ ବେଲର ଅଂଶ ରହିଛି। ସେତେବେଳେ ମା’ ଲକ୍ଷ୍ମୀ ଅଁଳାକୁ ହିଁ ଶିବ ଓ ବିଷ୍ଣୁଙ୍କ ସ୍ଵରୂପ ଭାବି ପୂଜା କଲେ। ମାତା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ପାଳନ କର୍ତ୍ତା ଓ ସଂହାର କର୍ତ୍ତା ଏକାଠି ମାତାଙ୍କୁ ଦର୍ଶନ ଦେଲେ। ତତପଶ୍ଚାତ ମାତା ସେହି ଅଁଳା ଗଛ ମୂଳରେ ଭୋଜନ ପ୍ରସ୍ତୁତ କରି ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ଅର୍ପଣ କଲେ। ସେହି ଦିବ୍ୟ ଦିବସଟି ସବୁଦିନ ପାଇଁ ଅଁଳା ନବମୀ ନାମରେ ବିଦିତ ହେଲା।
କଥିତ ଅଛି ଯେ, ଅଁଳା ନବମୀ ତିଥିରେ ଅଁଳା ବୃକ୍ଷକୁ ପୂଜା କରି ତା’ରି ମୂଳରେ ଭୋଜନ ପ୍ରସ୍ତୁତ କରି ବିଷ୍ଣୁ ଓ ଶିବଙ୍କୁ ଭୋଗ ଲଗାଇଲେ ସମଗ୍ର କାର୍ତ୍ତିକ ମାସର ପୂଣ୍ୟ ଗୋଟିଏ ଦିନରେ ପ୍ରାପ୍ତ ହୋଇଥାଏ। ଅଁଳା ନବମୀରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଏକ ମହାନ ଉତ୍ସବ ଅଟେ। ଏହି ଅବସରରେ ପୁରୀସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଯାତ୍ରା ଆୟୋଜନ ହୋଇଥାଏ। ବର୍ଷସାରା ଶିଢ଼ି ଘେରରେ ଘୋଡ଼ାଇ ହୋଇ ରହିଥିବା ରାଧାଙ୍କ ପାଦପଦ୍ମ ଦ୍ଵୟକୁ ବର୍ଷକରେ ଥରେ ଅଁଳା ନବମୀ ଦିନ ଦର୍ଶନ କରନ୍ତି।
ବିଧି ଅନୁସାରେ , ପ୍ରଥମେ ମହିଳାମାନେ ସ୍ନାନ କରି ଅଁଳା ଗଛ ତଳେ ସଫାସଫି କରି ଅଁଳା ଗଛ ମୂଳରେ ଶୁଦ୍ଧ ଜଳ ସମର୍ପଣ କରିବେ ଓ ଗଛ ମୂଳେରେ କଞ୍ଚା କ୍ଷୀର ଢାଳି ପୂଜା କରିବେ। ଏହା ପରେ ନାଲି ସୁତା ଧରି ୮ଥର ଅଁଳା ଗଛର ପରିକ୍ରମା କରିବେ ଏବଂ ଏହି ସୁତାକୁ ଗଛରେ ଗୁଡ଼େଇବେ। କେହି କେହି ୧୦୮ ଥର ମଧ୍ୟ ପରିକ୍ରମା କରିଥାନ୍ତି । ଏହାପରେ ଗଛ ତଳେ ପୂଜାର୍ଚନା ସାରି ସନ୍ତାନଙ୍କ ମଙ୍ଗଳ କାମନା କରି ଭୋଜନ କରନ୍ତି । ଏହି ଦିନ ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।