ଆଜି ମହା ପଞ୍ଚୁକର ଦ୍ବୀତିୟ ଦିନ। ଦ୍ବୀତିୟ ଦିନରେ ମହାପ୍ରଭୁ ବାଙ୍କଚୂଡ଼ା ବେଶ ଦର୍ଶନ ଦେଉଛନ୍ତି। କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଛି। ଆଜି ଅବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ,ଖୁଣ୍ଟିଆ,ଚାଙ୍ଗଡା ମେକାପ ଏବଂ କେତେଜଣ ପୁଷ୍ପାଳକ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଛନ୍ତି।
ଶାସ୍ତ୍ର ଅନୁଯାୟୀ ଯେତେବେଳେ ଅକ୍ରୁର ଭଗବାନ ଶ୍ରୀକୃଷ୍ଣଙ୍କୁ ଏବଂ ବଳରାମ କୁ ଆଣିବାକୁ କଂସ ଦ୍ୱାରା ଗୋପପୁରକୁ ପ୍ରେରିତ ହୋଇ ଯାଇଥିଲେ । ଗୋପପୁରକୁ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ବାଙ୍କଚୂଡ ପକାଇ ଭକ୍ତ ଅକ୍ରୁରକୁ ଏହି ବେଶ ରେ ଦର୍ଶନ ଦେଇଥିଲେ । ସେହି ସୃତିକୁ ଉଜ୍ଜୀବିତ କରିବା ପାଇଁ ପୁରୀ ଶ୍ରୀମନ୍ଦିରରେ ବହୁ ପୁରାତନ କାଳରୁ ବାଙ୍କଚୂଡ଼ା ବେଶ ପାଳିତ ହୋଇଆସୁଛି ।
ଏହି ବେଶର ବିଶେଷତ୍ୱ ଯେ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସା(ବେଣୀ)ର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ସୂଚନାଯୋଗ୍ୟ ଏକ ଛୋଟ ସ୍ୱର୍ଣ୍ଣ କୀରିଟ ଠାକୁରମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଇଥାଏ। ଲକ୍ଷ୍ମୀନାରାୟଣ ବେଶରେ ଲାଗୁଥିବା ଅଧିକାଂଶ ଅଳଙ୍କାର ଏଥିରେ ବ୍ୟବହୃତ ହୋଇଥାଏ । ଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ବଳଭଦ୍ର ହଳମୂଷଳ ଧାରଣ କରନ୍ତି । ଏହି ବେଶରେ ସୁଭଦ୍ରାଙ୍କ ଆଭୂଷଣ ପରିବର୍ତ୍ତନ ହୁଏନାହିଁ । ମାତ୍ର ତାଙ୍କର ମସ୍ତକ ସୂବର୍ଣ୍ଣ କିଆରେ ଶୋଭିତ ହୁଏ । ଭୋଗ ମଣ୍ଡପ ଶେଷ ହେବାପରେ ଠାକୁରମାନଙ୍କ ଏହି ଆକର୍ଷଣୀୟ ବେଶକୁ ଶ୍ରଧାଳୁ ମାନେ ଦର୍ଶନ କରିଥାନ୍ତି ।