ଚଣ୍ଡିଗଡ: ହରିୟାଣାରେ ୧.୯୮ କୋଟି ଲୋକଙ୍କ ପାଖରେ ବିପିଏଲ କାର୍ଡ ରହିଛି । ଏହି ସଂଖ୍ୟା ରାଜ୍ୟର ମୋଟ୍ ଜନସଂଖ୍ୟାର ୭୦ ପ୍ରତିଶତ ହେବ । ଗୋଟିଏ ପଟେ ହରିୟାଣାର ମୁଣ୍ଡ ପିଛା ଆୟ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏତେ ସଂଖ୍ୟାରେ ଲୋକେ କିଭଳି ବିପିଏଲ କାର୍ଡ ହାତେଇଲେ ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ହରିୟାଣା ସରକାର ମାମଲାର ତଦନ୍ତ କରିବାକୁ ଯାଉଛନ୍ତି ।
ରାଜ୍ୟ ସରକାରଙ୍କ କହିବା କଥା ଆମେ ଏକ ସ୍ୱତନ୍ତ୍ର ଏଜେନ୍ସି ମାଧ୍ୟମରେ ଏହାର ଯାଞ୍ଚ କରାଇବୁ । ଏ ପର୍ଯ୍ୟନ୍ତ ହରିୟାଣାରେ ସେଲଫ ଡିକ୍ଲେରେସନ ଅର୍ଥାତ ଯିଏ ନିଜକୁ ବିପିଏଲ କାର୍ଡ ପାଇଁ ଯୋଗ୍ୟ କୁହେ ତେବେ ତାଙ୍କୁ କାର୍ଡ ମିଳି ଯାଉଥିଲା । କିନ୍ତୁ ଏବେ ଏହାକୁ ନେଇ ପ୍ରଶ୍ନ ଉଠିବାରୁ ସରକାର ଏହାର ଯାଞ୍ଚ କରିବାକୁ ସରକାର ଅଣ୍ଟା ଭିଡିଛନ୍ତି ।
ରାଜ୍ୟର ସାର୍ବଜନୀନ ଯୋଗାଣ ବିଭାଗ ଅନୁସାରେ ହରିୟାଣା ଗତ ଦୁଇ ବର୍ଷରେ ୭୫ ଲକ୍ଷ ଲୋକ ନୂତନ ବିପିଏଲ କାର୍ଡ ହାତେଇଛନ୍ତି । ଯାହା ସଭିଙ୍କୁ ଆଚମ୍ବିତ କରିଛି । ଏମିତି ସ୍ଥିତି ସେହି ସମୟରେ ଉପୁଜିଛି ଯେତେବେଳେ ହରିୟାଣା ଦେଶର ସମୃଦ୍ଧ ରାଜ୍ୟ ମଧ୍ୟରୁ ଏକ । ଗୁଜରାଟ, ତାମିଲନାଡୁ ପରି ରାଜ୍ୟ ତୁଳନାରେ ହରିୟାଣାର ମୁଣ୍ଡ ପିଛା ଆୟ ଅଧିକ ରହିଛି । ତଥାପି ଏତେ ବଡ ସଂଖ୍ୟାରେ ଲୋକେ ବିପିଏଲ ତାଲିକାଭୁକ୍ତ ହେବା ପ୍ରଶ୍ନ ସୃଷ୍ଟି କରିଛି । ଏହି ମାମଲାରେ ଏବେ ରାଜ୍ୟର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାଜେଶ ନାଗରଙ୍କ କହିବା କଥା ସେ ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀଙ୍କ ସହ ଆଲୋଚନା କରିବେ ଓ ମାମଲାର ତଦନ୍ତ କରାଯିବ ।