କେନ୍ଦୁଝର: ପୂର୍ବତନ ବିଜେଡି ସରକାରଙ୍କ ମାଳ ମାଳ ଯୋଜନା କେବଳ କାଗଜ କଲମ ଓ କାନ୍ଥ ବାଡ଼ ପୋଷ୍ଟରରେ ରହି ଯାଇଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ପୌରପାଳିକାରେ ଥିବା ଜୁଡ଼ିଆ ମୁଣ୍ଡା ସାହି ୨ନଂ ୱାର୍ଡରେ । ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ଏମାନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି । କେବେ କାହା ବାରଣ୍ଡାରେ ତ ଆଉ କିଏ ନିଜ ପରିବାରକୁ ନେଇ ଜରି ପାଲ ତଳେ ରହୁଛନ୍ତି । ଭୂମିହୀନମାନଙ୍କୁ ଚିହ୍ନଟ କରି ସରକାରଙ୍କ ପକ୍ଷରୁ ଭୂମି ପ୍ରମାଣ ପତ୍ର ଯୋଗାଇ ଦେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଏମାନେ ବଂଚିତ ରହିଛନ୍ତି ।
କେନ୍ଦୁଝର ପୌରପାଳିକା ରେ ଥିବା ଜୁଡ଼ିଆ ମୁଣ୍ଡା ସାହି ୨ନଂ ୱାର୍ଡର ଜୁଡ଼ିଆ ସାହିରେ ପ୍ରାୟ ୬୦ ବର୍ଷରୁ ଉର୍ଦ୍ଧ ହେବ ୩୦ ରୁ ୩୫ ପରିବାର ରହି ଆସୁଛନ୍ତି । ଭୋଟର ସଂଖ୍ୟା ୭୦ରୁ ଉର୍ଦ୍ଧ୍ୱ । ଏମାନେ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଛନ୍ତି । ଓଳିଏ ଖାଇଲେ ଓଳିଏ ଓପାସ । ଏହି ଆଦିବାସୀ ଓ ଗରିବ ଖଟିଖିଆମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି । କିନ୍ତୁ ସରକାରୀ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ । ଗାଁରେ ଗୋଟିଏ ପକ୍କା ରାସ୍ତା ଓ ନଳକୂଅ ଗୋଟିଏ ମାତ୍ର ରହିଛି । କେବଳ ନିର୍ବାଚନ ଆସିଲେ ନେତାଙ୍କ ଭିଡ଼ ଜମି ଥାଏ ଅନେକ ପ୍ରତିଶୃତି ଦିଅନ୍ତି ଆଉ ନିର୍ବାଚନ ସରିଗଲେ ଏମାନଙ୍କ କଥା କିଏ ବା ପଚାରେ।
ବାରମ୍ବାର ପୌରପାଳିକା କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏମାନଙ୍କୁ ଏବେ ଯାଏ କୌଣସି ସରକାରୀ ବାସଗୃହ ମିଳିନାହିଁ । ସରକାରୀ ବାବୁ ମାନେ ସରକାରୀ କାର୍ଯ୍ୟାଳୟର ନାଲି ଫିତା ତଳେ କେତେ ଯେ ଗରିବ ଖଟିଖିଆଙ୍କ ଦୁଃଖ ଦୁର୍ଦ୍ଦଶାକୁ ଚାପି ରଖିଛନ୍ତି ତାହା ସେମାନଙ୍କୁ ଜଣା । ପ୍ରକୃତ ହିତାଧିକାରୀ ନପାଇ ବଡ଼ ବଡିଆ ମାନେ ହାତେଇବା ମଧ୍ୟ ସାମ୍ନା କୁ ଆସିଛି ।
ସେପଟେ ଅତିରିକ୍ତ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି ବସ୍ତି ପରିଦର୍ଶନ କରି ସରକାରଙ୍କ ଯୋଜନାରେ ଘର ଯୋଗାଇ ଦିଆଯିବ ।