ଭଦ୍ରକ: ବିଜେଡ଼ି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧ୍ୟକ୍ଷା ସରକାରୀ ଅର୍ଥ ଆତ୍ମସାତ କରି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ବିରୋଧରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଳ କାଆଁପଡା ଗ୍ରାମବାସୀଙ୍କ ଧାରଣା । ଆୟ ବହିର୍ଭୁତ ସମ୍ପତ୍ତିର ଉଚ୍ଚସ୍ଥରୀୟ ତଦନ୍ତ ପାଇଁ ଦାବି ହୋଇଛି ।
ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଓ ତାଙ୍କ ସ୍ୱାମୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ବାରମ୍ବାର ଅଭିଯୋଗ ହୋଇଛି । ପୂର୍ବ ସରକାର ସମୟରେ ଗ୍ରାମର ନାଳ, ପୋଖରୀ, ରାସ୍ତା, ଭଳି ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଟଙ୍କା ଆସିଥିଲା । କିନ୍ତୁ ଦମ୍ପତି ଏଥିରେ ଅନିୟମିତତା କରି ସରକାରୀ ଅର୍ଥ ହରିଲୁଟ କରିଛନ୍ତି । ଅଧ୍ୟକ୍ଷାଙ୍କ ସ୍ୱାମୀ ଜବ୍ କାର୍ଡରୁ ଜୋର ଜବରଦସ୍ତ ଟଙ୍କା ଉଠାଇ ନେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ବାରମ୍ବାର ଅଭିଯୋଗ ହୋଇଛି, କିନ୍ତୁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ସେଥିପାଇଁ ଆଜି ତାଳ କାଆଁପଡା ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ସେ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।