ଜଳେଶ୍ୱର: ବିଦ୍ୟୁତ ଖୁଣ୍ଟ ଅଛି, କିନ୍ତୁ ଲାଇଟ ଜଳୁନି । ଦୁଇ ବର୍ଷ ବି ଚାଲି ପାରିଲାନି ଯୋଜନା । ଫଳରେ ଅନ୍ଧାର ଭିତରେ ରାଜ୍ୟର ପ୍ରମୁଖ ତିନି ପର୍ଯ୍ୟଟନ ସ୍ଥଳ । ଫେଲ ମାରିଲା ତାଳସାରି ବେଳାଭୂମି-ଚନ୍ଦନେଶ୍ୱର ଶୈବପୀଠ-ଉଦୟପୁର ବେଳାଭୂମି- ତାଳସାରୀ ଆଲୋକୀକରଣ ଯୋଜନା । ପର୍ଯ୍ୟଟନ ବିଭାଗର ୭କୋଟି ୧୦ ଲକ୍ଷ ବେକାର । ୩୮୪ଟି ଖୁଣ୍ଟରେ ଲାଇଟ ଲଗା ଯାଇଥିବା ବେଳେ ଦୁଇ ବର୍ଷ ମଧ୍ୟରେ ଲାଇଟ ସବୁ ବନ୍ଦ ହୋଇ ପଡି ରହିଛି । ଫଳରେ ପଦାରେ ପଡ଼ିଛି ବିଜେଡ଼ି ସରକାର କରିଥିବା ନିମ୍ନ ମାନର କାର୍ଯ୍ୟ । ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ସମସ୍ୟା ଉପୁଜୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ତାଳସାରି-ଚନ୍ଦନେଶ୍ଵର-ଉଦୟପୁରର ତିନି ପାର୍ଶ୍ୱ ଆଲୋକୀକରଣ ପାଇଁ ପୂର୍ବତନ ବିଜେଡ଼ି ସରକାର ପର୍ଯ୍ୟଟନ ବିଭାଗରୁ ୨୦୨୧ ଫେବୃଆରୀ ୧୧ ତାରିଖରେ ୭ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଦିଲ୍ଲୀର ଏକ ଘୋରୋଇ ସଂସ୍ଥା ଏନବିସିସି କମ୍ପାନୀକୁ ଏହାର କାର୍ଯ୍ୟ ଭାର ଦିଆଯାଇଥିଲା । ଏହି କାର୍ଯ୍ୟ ୨୦୨୧ରୁ ଆରମ୍ଭ ହୋଇ ୨୦୨୨ରେ ଶେଷ ହୋଇଥିଲା । ଏଥିରେ ଚନ୍ଦନେଶ୍ଵରରୁ ସାହାବାଜିପୁର ମଧ୍ୟରେ ୧୬୩ଟି ଖୁଣ୍ଟ, ସାହାବାଜିପୁରରୁ ଉଦୟପୁର ୬୩ଟି ଏବଂ ତାଳସାରିରୁ ଚନ୍ଦନେଶ୍ଵର ୧୫୮ଟି ଖୁଣ୍ଟ ପୋତା ଯାଇ ଆଲୋକୀକରଣ କରାଯାଇଥିଲା । କିନ୍ତୁ ଉଦୟପୁରରୁ ତାଳସାରି ବେଳାଭୂମି ପର୍ଯ୍ୟନ୍ତ କୌଣସି ଖୁଣ୍ଟ ପୋତା ଯାଇନାହିଁ । ଉଦଘାଟନ ଦିନରୁ କେତେକ ଖୁଣ୍ଟରେ ଲାଇଟ ଜଳୁ ନଥିବାବେଳେ ଏବେ ୭୦ ଭାଗ ଲାଇଟ ବନ୍ଦ ହୋଇ ପଡିଛି ।
ଖାଲି ସେତିକି ନୁହେଁ ଉଦଘାଟନର କିଛି ଦିନ ପରେ ପ୍ରାୟ ୧୪ ଟି ଖୁଣ୍ଟରୁ ଲାଇଟ ଚୋରି ହୋଇ ଯାଇଥିଲା ବେଳେ ଏଯାବତ ତାହା ଲାଗି ପାରିନାହିଁ । ବର୍ଷେ ହେଲା ଅଧାରୁ କମ ଆଲୁଅ ଜଳୁଥିବା ବେଳେ ଏବେ ୬ ମାସ ହେବ ୭୦ ଭାଗ ଅଂଚଳ ଅନ୍ଧକାର ଘେରରେ । ତେବେ ଏହାର ରକ୍ଷଣା ବେକ୍ଷଣା ଦାୟିତ୍ୱ ସାହାବାଜିପୁର, ବାଜିତପୁର ଓ ହୁଗୁଳି ପଂଚାୟତକୁ ଦିଆଥିଲା । କିନ୍ତୁ ତିନି ପଂଚାୟତ ଲୋକପ୍ରତିନିଧି କହନ୍ତି ସେତେବେଳେ ଜିଲ୍ଲାପାଳ ତରବରିଆ ଭାବେ ପଂଚାୟତକୁ ଏହାର ଦାୟିତ୍ୱ ଦେଇଥିଲେ ଯାହା ପଂଚାୟତ ପାଇଁ ସମ୍ଭାଳିବା ସମ୍ଭବପର ନଥିଲା । ଯେଉଁ ଲାଇଟ ଲଗା ଯାଇଛି ତାହା ସମ୍ପୂର୍ଣ ନିମ୍ନ ମାନର ଥିଲା ଯେଉଁଥି ପାଇଁ ବିଭିନ୍ନ ସ୍ଥାନରେ ତାର ସବୁ ପୋଡି ନଷ୍ଟ ହେବା ସହ ଲାଇଟ ଖରାପ ହୋଇପଡିଛି ।
ଅନ୍ୟପକ୍ଷରେ ତତ୍କାଳୀନ ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେ ଆଲୁଅ ଜଳିବା ବାବଦକୁ ବର୍ଷକୁ ୫ଲକ୍ଷ ଟଙ୍କା ଦେବେ କହିଥିଲେ...କିନ୍ତୁ ସେ ପ୍ରତିଶ୍ରୁତି...ପ୍ରତିଶ୍ରୁତିରେ ହିଁ ରହିଯାଇଛି । ଏହା ଛଡା ସାହାବାଜିପୁର ପଂଚାୟତ ପକ୍ଷରୁ ପୂର୍ବରୁ ଲାଇଟ ମରାମତି ପାଇଁ ୫୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା କିନ୍ତୁ ସେ ଟଙ୍କା ଏପର୍ଯ୍ୟନ୍ତ ମିଳିନାହିଁ । ଏବେ ସବୁଠି ଅନ୍ଧାର ଥିଲେ ଏଥି ପ୍ରତି କାହାର ନଜର ପଡ଼ୁ ନାହିଁ।
ତେବେ ଉଦୟପୁର ସୀମାକୁ ଲାଗି ରହିଥିବା ପଶ୍ଚିମବଙ୍ଗ ଦିଘାର ବେଳାଭୂମି ଆଲୋକିତ ହେଉଥିବାବେଳେ ଉଦୟପୁର ଓ ତାଳସାରୀ ବେଳାଭୂମି ଅନ୍ଧକାର ମୟ ହୋଇ ପଡି ରହିଛି । ଯେଉଁଥି ପାଇଁ ଅନେକ ସମୟରେ ଏହି ଦୁଇ ବେଳାଭୂମିରେ ଚୋରି ଡକାୟତି ଓ ସଡ଼କ ଦୁର୍ଘଟଣା ସହ ଚନ୍ଦନେଶ୍ୱର ଭଳି ବଡ ମାର୍କେଟ ଅନ୍ଧକାରମୟ ପାଲଟିଛି । ଯାହା ପର୍ଯ୍ୟଟନ ବଳୟକୁ ଆଲୋକୀକରଣ ଯୋଜନାରେ ଉକ୍ତ ସଂସ୍ଥା ନିମ୍ନ ମାନର କାମ କରି କୋଟି କୋଟି ଟଙ୍କା ଚଳୁ କରିଥିବା ସ୍ପଷ୍ଟ ବାରି ହୋଇ ପଡ଼ିଛି ।
ସେପଟେ ବାଲେଶ୍ଵର ଜିଲ୍ଲାପାଳ ଆଶିଷ ଠାକରେଙ୍କ ସହିତ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଆଲୋଚନା କରିବା ସହ ସମାଧାନର ରାସ୍ତା ବାହାର କରାଯିବ ବୋଲି କହିଛନ୍ତି ।